ସଂଯମତା ଅବଲମ୍ବନ ପାଇଁ ଭାରତର ପ୍ରସ୍ତାବ

ଜାତିସଂଘରେ ୟୁକ୍ରେନ୍ ପ୍ରସଙ୍ଗ

ଜାତିସଂଘ : ୟୁକ୍ରେନ୍‌ର ଦୁଇଟି ବିଚ୍ଛିନ୍ନାଞ୍ଚଳକୁ ରୁଷ୍ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିବା ପରେ ଏହାକୁ ନେଇ ଆନ୍ତର୍ଜାତିକ ସର୍କିଟରେ ଚର୍ଚ୍ଚା ଜୋର ଧରିଛି । ୟୁକ୍ରେନ୍‌କୁ ସହାୟତା ଯୋଗାଇ ଆସୁଥିବା ଆମେରିକା ନେତୃତ୍ୱାଧୀନ ନାଟୋ ସଦସ୍ୟ ରାଷ୍ଟ୍ରଗୁଡିକ ରୁଷ୍ ବିରୋଧରେ କଟକଣା ଲାଗୁ କରିବାକୁ ମସୁଧା କରୁଥିବାବେଳେ ଭାରତ କିନ୍ତୁ କୌଣସି ପକ୍ଷକୁ ଢଳିବା ପରିବର୍ତ୍ତେ ଉଭୟଙ୍କୁ ସୁହାଇବା ଭଳି ନିଜର ଆଭିମୁଖ୍ୟ ପ୍ରକାଶ କରିଛି । ମଙ୍ଗଳବାର ଜାତିସଂଘର ନିରାପତ୍ତା ପରିଷଦରେ ୟୁକ୍ରେନ୍ ପ୍ରସଙ୍ଗ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଷଣ ଦେଇ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌.ତିରୁମୂର୍ତ୍ତି କହିଛନ୍ତି ଯେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଉଭୟ ରୁଷ୍ ଓ ୟୁକ୍ରେନ୍ ସଂଯମତା ଅବଲମ୍ବନ କରିବା ଜରୁରୀ । ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, କେବଳ କୂଟନୈତିକ ଚ୍ୟାନେଲରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ରୁଷ୍‌- ୟୁକ୍ରେନ୍ ସୀମାରେ ଉତ୍ତେଜନା ଓ ଯୁଦ୍ଧ ପରିସ୍ଥିତି ଲାଗି ରହିବା ନିହାତି ଭାବେ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି । ଏଭଳି ସ୍ଥିତି ସେହି ଅଞ୍ଚଳର ଶାନ୍ତି ଓ ନିରାପତ୍ତାକୁ ବିପନ୍ନ କରିବ । ଏହି ପରିପ୍ରେକ୍ଷୀରେ ସେଠାରେ କୌଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ବିଶ୍ୱ ସମୁଦାୟ ଉପରେ କୁପ୍ରଭାବ ପକାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ତେଣୁ ୟୁକ୍ରେନ୍ ସୀମାରୁ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଅପସାରଣ ଏହି ସମସ୍ୟାକୁ ବହୁମାତ୍ରାରେ ହ୍ରାସ କରିବ ବୋଲି ତିରମୂର୍ତ୍ତି ଆଶାବ୍ୟକ୍ତ କରିଛନ୍ତି । ନିଜର ନାଗରିକମାନେ କିପରି ୟୁକ୍ରେନ୍‌ରୁ ସୁରୁଖୁରୁରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ, ତାହା ଭାରତ ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.