କୋଭିଡ୍ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଲାଗି ଗୋଟିଏ ଡୋଜ୍ ଟିକା ହିଁ ଯଥେଷ୍ଟ

ହାଇଦ୍ରାବାଦ୍: କରୋନା ଭାଇରସ୍ ଟିକାକୁ ନେଇ ଆସିଲା ଆଶ୍ୱସ୍ଥିକର ଖବର । AIG ହସ୍ପିଟାଲର ଏକ ଅଧ୍ୟୟନରୁ ଏମିତି ଏକ ଆଶ୍ୱସ୍ତି ଖବର ସୋମବାର ଦିନ ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ଯେ,  ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ କୋଭିଡ୍ -19 ଟିକାର ଗୋଟିଏ ଡୋଜ ହିଁ ଯଥେଷ୍ଟ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ । କାରଣ ଏହା ଟିକାର ପ୍ରଥମ ଡୋଜ ମାଧ୍ୟମରେ ସୃଷ୍ଟି ହେଉଥିବା ଆଣ୍ଟିବଡି ସେହି ବ୍ୟକ୍ତିଙ୍କ ତୁଳନାରେ ବହୁତ ଅଧିକ, ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇନାହାଁନ୍ତି ।

AIG ହସ୍ପିଟାଲ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ସୋମବାର ଦିନ ଫଳାଫଳରେ ପ୍ରକାଶ ପାଇଛି। ସହରରେ ସ୍ଥିତ ‘ଏଆଇଜି ହସ୍ପିଟାଲ୍’ର ୨୬୦ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ଯେଉଁମାନେ ୧୬ ଜାନୁଆରୀରୁ ୫ ଫେବ୍ରୁୟାରୀ ମଧ୍ୟରେ ଟିକା ନେଇଥିଲେ । ଏବଂ ଏହି ଅଧ୍ୟୟନ ‘ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଇମ୍ଫେକ୍ସିୟସ ଡିଜିଜେସ’ରେ ପ୍ରକାଶିତ ହୋଇଛି।

ସୂଚନା ଅନୁସାରେ ୨୬୦ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ୨ଟି ଦଳରେ ବିଭକ୍ତ କରାଯାଇଥିଲା  । ପ୍ରଥମଟି ହେଲା ଯେଉଁମାନେ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଦ୍ୱିତୀୟଟି ହେଲା ଯେଉଁମାନେ ସଂକ୍ରମିତ ହୋଇ ନଥିଲେ  । ତେବେ ଏହି ଦୁଇ ଦଳକୁ ଯେତେବେଳେ କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ ଦିଆଯାଇଥିଲା ସେତେବେଳେ ଏହାର ଫଳାଫଳ ସାମ୍ନାକୁ ଆସିଥିଲା । ଏବଂ ଏହି ଅଧ୍ୟୟନରେ ଜଣାପଡ଼ିଥିଲା ଯେ ଦ୍ୱିତୀୟ ଦଳ ତୁଳନାରେ ପ୍ରଥମ ଦଳ ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଥିଲେ ସେମାନଙ୍କଠାରେ ଅତ୍ୟଧିକ ମାତ୍ରାରେ ଆଣ୍ଟିବଡ଼ି ବଢିଛି । ତେଣୁ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, କରୋନାକୁ ମାତ୍ ଦେବାରେ କରୋନାର ପ୍ରଥମ ଡୋଜ ହିଁ ଯଥେଷ୍ଟ ।

ଟୀକାକରଣ ରଣନୀତି ଉପରେ ଏହି ଅଧ୍ୟୟନର ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କରେ, ଏଆଇଜି ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ଡି.ଏନ୍ ନାଗେଶ୍ୱର ରେଡ୍ଡୀ କହିଛନ୍ତି ଯେ, ଏହି ଅଧ୍ୟୟନର ଫଳାଫଳ ଦର୍ଶାଇଛି ଯେ, କୋଭିଡ -19ରେ ଆକ୍ରାନ୍ତ ଲୋକଙ୍କୁ ଟିକାର ଦୁଇ ଡୋଜ ନେବାର ଆବଶ୍ୟକ ନାହିଁ। କାରଣ ଗୋଟିଏ ଡୋଜରେ ସେତିକି ଆଣ୍ଟିବଡି ସୃଷ୍ଟି ହେଉଛି ଯେତିକି କେବେ ବି ସଂକ୍ରମିତ ହୋଇନଥିବା ବ୍ୟକ୍ତିଙ୍କଠାରେ ଏବଂ ସେମାନେ ଟିକାର ଦୁଇଟି ଡୋଜ ନେଇଛନ୍ତି । ଡକ୍ଟର ରେଡ୍ଡୀ କହିଛନ୍ତି ଯେ ଦେଶରେ ଟୀକାକରଣର ଅଭାବ ଦେଖାଦେଇଥିବା ବେଳେ ଏହା ଟୀକାର ମାତ୍ରା ବଞ୍ଚାଇବାରେ ସହାୟକ ହେବ ।

Leave A Reply

Your email address will not be published.