ମୋଦି- ଉଦ୍ଧବ ସାକ୍ଷାତ ପରେ ଚର୍ଚ୍ଚାରେ ବିଜେପି-ଶିବସେନା ସଂପର୍କ : ସଂଜୟ ରାଉତ କହିଲେ ନରେନ୍ଦ୍ର ମୋଦି ଦେଶ ଏବଂ ବିଜେପିର ଶୀର୍ଷ ନେତା

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ନିକଟରେ ଦିଲ୍ଲୀରେ ହୋଇଥିବା ସାକ୍ଷାତ ପରେ ଶିବସେନା ନେତା ସଞ୍ଜୟ ରାଉତ ବୟାନ ଦେଇଛନ୍ତି । ଗୁରୁବାର ଦିନ ସଞ୍ଜୟ ରାଉତ କହିଛନ୍ତି ଯେ ମୋଦି ଦେଶ ଓ ବିଜେପିର ଶୀର୍ଷ ନେତା । ସଞ୍ଜୟ ରାଉତଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଗଣମାଧ୍ୟମରେ ଖବର ଆସୁଛି ଯେ ଆରଏସଏସ ରାଜ୍ୟ ନିର୍ବାଚନରେ ରାଜ୍ୟର ନେତାଙ୍କୁ ପେଶ କରିବାକୁ ବିଚାର କରୁଛି । ମୋଦିଙ୍କ ଲୋକପ୍ରିୟତା କମ ହୋଇଛି କି ବୋଲି ତାଙ୍କୁ ପଚରା ଯାଇଥିଲା ।

ଏହି ପ୍ରଶ୍ନର ଉତ୍ତରରେ ସଞ୍ଜୟ ରାଉତ କହିଥିଲେ, ‘ମୁଁ ଏହି ପ୍ରସଙ୍ଗରେ କିଛି ମନ୍ତବ୍ୟ ଦେବାକୁ ଚାହୁଁନି । ମୁଁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଦେଖିନି । ଏ ସମ୍ବନ୍ଧରେ କିଛି ଅଫିସିଆଲ ବୟାନ ମଧ୍ୟ ଆସିନି । ଗତ ୭ ବର୍ଷରେ ବିଜେପିର ସଫଳତାର ଶ୍ରେୟ ମୋଦିଙ୍କୁ ଦିଆଯାଇଛି । ସେ ବର୍ତ୍ତମାନ ଦେଶର ଓ ନିଜ ଦଳର ଶୀର୍ଷ ନେତା ।’

ଶିବସେନାର ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ବର୍ତ୍ତମାନ ଉତ୍ତର ମହାରାଷ୍ଟ୍ର ଗସ୍ତରେ ଅଛନ୍ତି । ସେ ଜଲଗାଓଁରେ ସାମ୍ବାଦିକଙ୍କୁ ଏହା କହିଛନ୍ତି । ସେ କହିଛନ୍ତି ଯେ ଶିବସେନା ସବୁବେଳେ ବିଶ୍ୱାସ କରେ ଯେ ପ୍ରଧାନମନ୍ତ୍ରୀ ପୁରା ଦେଶର, କୌଣସି ଗୋଟିଏ ଦଳର ନୁହେଁ । ସେ କହିଛନ୍ତି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନିର୍ବାଚନ ଅଭିଯାନରେ ସାମିଲ ହେବା ଉଚିତ ନୁହେଁ ।

ନିକଟରେ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଥିଲେ ଯେ, ଯଦି ମୋଦି ଚାହିଁଲେ ତାଙ୍କ ଦଳ (ବାଘ) ଶିବସେନା ସହ ବନ୍ଧୁତା କରିପାରିବ । ଏହି ମନ୍ତବ୍ୟକୁ ନେଇ ସଞ୍ଜୟ ରାଉତ କହିଛନ୍ତି ଯେ, ‘ବାଘ ସହ କେହି ବନ୍ଧୁତା କରିପାରିବେନି । ବାଘ ନିଜେ ବିଚାର କରେ ସେ କାହା ସହ ବନ୍ଧୁତା ସ୍ଥାପନ କରିବ ।’

ଉତ୍ତର ମହାରାଷ୍ଟ୍ର ଗସ୍ତ ସମ୍ପର୍କରେ ସଞ୍ଜୟ କହିଛନ୍ତି ଯେ ସଂଗଠନ ମଜବୁତ କରିବାକୁ ଏହା ଦଳର ଏକ ପ୍ରୟାସର ଅଂଶ । ସେ କହିଛନ୍ତି, ମହା ବିକାଶ ଅଘାଡିରେ ସାମିଲ ଦଳଙ୍କୁ ନିଜ ଆଧାର ବଢାଇବା ଓ ଦଳକୁ ମଜବୁତ କରିବାର ଅଧିକାର ଅଛି । ସମନ୍ୱୟ ମଜବୁତ କରିବାକୁ ପରସ୍ପର ସହ ବୈଠକ ମଧ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.