ମିଆଁମାରରେ ସେନା ଖେଳିଲା ରକ୍ତର ହୋଲି, ଗୁଳିକାଣ୍ଡରେ ୯୧ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମିଆଁମାରରେ ସାମରିକ ବିଦ୍ରୋହକୁ ପାଖାପାଖି ମାସେ ହୋଇଗଲାଣି। ସେଠାକାର ଗଣତାନ୍ତ୍ରିକ ସରକାରକୁ କ୍ଷମତାରୁ ତଡ଼ି ମିଲିଟାରି ଜୁନ୍ତା ନିଜ ଅକ୍ତିଆରରେ ଶାସନ କଳକୁ ରଖିଛି । ଲୋକମାନେ ରାଜ ରାସ୍ତାରେ ସେନା ବିରୋଧରେ ବିଦ୍ରୋହ କରୁଥିବାବେଳେ ସେନା ମଧ୍ୟ ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ସମସ୍ତ ପ୍ରକାର କୌଶଳ ଅବଲମ୍ବନ କରୁଛି । ସେନା ଦ୍ୱାରା ନିଆଯାଇଥିବା କାର୍ଯାନୁଷ୍ଠାନରେ ଏପର୍ଯ୍ୟନ୍ତ ୩ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତେବେ ଶନିବାର ସେନା ଆନ୍ଦୋଳନକାରୀଙ୍କ ଉପରେ ପୁଣି ଗୁଳି ଚଳାଇଛି, ଯେଉଁଥିରେ ୯୧ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ ମିଆଁମାରରେ ଅନେକ ଦିନ ହେବ ସେନା ବିରୋଧରେ ପ୍ରଦର୍ଶନ ଜାରି ରହିଛି ସତ କିନ୍ତୁ ସେନା ଓ ଆନ୍ଦୋଳନକାରୀ କେବେ ମୁହାଁମୁହିଁ  ହୋଇନଥିଲେ । କିନ୍ତୁ ଶନିବାର ଦେଶର ରାଜଧାନୀ ନାୟପିଟାଭରେ ବାର୍ଷିକ ସାମରିକ ଦିବସରେ ଗୋଟେପଟେ ସେନା ପ୍ୟାରେଡ କରୁଥିବାବେଳେ ଅନ୍ୟପଟେ ଆନ୍ଦୋଳନକାରୀ ମଧ୍ୟ ରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ଏହି ପ୍ରଦର୍ଶନକୁ ରୋକିବା ପାଇଁ ସେନା ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଥିଲା। ଏଥିରେ ଅନେକ ଛୋଟ ପିଲାଙ୍କ ସମେତ ବୟସ୍କ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି ।

ମିଆଁମାରର ଗଣମାଧ୍ୟମ ସୂଚନା ମୁତାବକ ସେନାର ଏହି ଗୁଳିକାଣ୍ଡରେ ୯୧ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ମାର୍ଚ୍ଚ ୧୪ରେ ହୋଇଥିବା ମୃତ୍ୟୁ ସଂଖ୍ୟାଠୁ ବି ଅଧିକ ରହିଛି । ସେଦିନ ପାଖାପାଖି ୭୪ ରୁ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଂକା କରାଯାଉଛି।  ବିଦ୍ରୋହକୁ ଦମନ କରିବା ପାଇଁ ମିଆଁମାର ସେନାର ଏହା ଏବେ ପର୍ଯ୍ୟନ୍ତର ସବୁଠାରୁ ବଡ଼ କର୍ଯାନୁଷ୍ଠାନ ବୋଲି କୁହାଯାଉଛି।

ଏହି ଘଟଣାରେ ମିଆଁମାର ସେନା ମୁଖପାତ୍ର କୌଣସି ବି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ତେବେ ସେନା ବିରୋଧରେ ଏକ ବିରୋଧୀ ଗୋଷ୍ଠୀର ନେତା ଡକ୍ଟର ସସା କହିଛନ୍ତି ଯେ ସାମରିକ ବାହିନୀ ପାଇଁ ଆଜି ଏକ ଲଜ୍ଜାଜନକ ଦିନ। ୩ ଶହରୁ ଅଧିକ ନିରୀହ ନାଗରିକଙ୍କୁ ହତ୍ୟା କରିବା ପରେ ସାମରିକ ଦିବସ ପାଳନ କରାଯାଉଛି। ମିଆଁମାର ଇତିହାସରେ ଏହା ସବୁଠାରୁ ବଡ଼ କଳା ଦିନ।

ମିଆଁମାର ସେନାର ଏଭଳି ହିଂସାତ୍ମକ କାଣ୍ଡକୁ ଅନ୍ତରାଷ୍ଟୀୟ ସ୍ତରରେ କଡ଼ା ନିନ୍ଦା କରାଯାଉଛି। ମିଆଁମାରର ୟୁରୋପୀୟ ସଂଗଠନର ଏକ ପ୍ରତିନିଧି ଦଳ ଟୁଇଟ୍ କରି କହିଛି, “୭୬ ତମ ମିଆଁମାର ସାମରିକ ବାହିନୀ ଦିବସକୁ ଆତଙ୍କ ଏବଂ ଅପମାନର ଦିନ ଭାବେ ବିବେଚନା କରାଯିବ। ନିରିହ ପିଲାମାନଙ୍କ ସମେତ ନିଃଶସ୍ତ୍ର ନାଗରିକଙ୍କ ହତ୍ୟା ଅତ୍ୟନ୍ତି ଲଜ୍ୟାଜନକ କାମ।”  ସେହିଭଳି ଆମେରିକାର ରାଷ୍ଟ୍ରଦୂତ ଥୋମାସ ୱାଜଡା  କହିଛନ୍ତି ଯେ ସୁରକ୍ଷା ବାହିନୀ ନିଃଶସ୍ତ୍ର ନାଗରିକଙ୍କୁ ହତ୍ୟା କରୁଛି। ସେ କହିଛନ୍ତି, “ଏହା ଏକ ସେନା କିନ୍ବା ପୋଲିସର କାମ ହୋଇପାରିବ ନାହିଁ।’

Leave A Reply

Your email address will not be published.