ଆଣ୍ଟିଲିଆ ବିସ୍ଫୋରକ ମାମଲା: ୧୨ ଘଣ୍ଟା ଜେରା ପରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେ ଗିରଫ

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ବାସଭବନ ଆଗରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନ। ମହାରାଷ୍ଟ୍ର ପୋଲିସର ଜଣେ ଅଧିକାରୀଙ୍କୁ ଗିରଫ କରିଛି ଏନଆଇଏ। ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେଙ୍କୁ ଗିରଫ କରିଛି ଏନଆଇଏ।

ଦୀର୍ଘ ୧୨ ଘଣ୍ଟାର ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ଏନଆଇଏ ପକ୍ଷରୁ ସୂଚନା ଦିଆଯାଇଛି । ଏନଆଇଏ ସଚିନ ବାଜେଙ୍କୁ ଆଜି କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିବ। ତେବେ ଜେରା ପୂର୍ବରୁ ଶନିବାର ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ସଚିନ। ହେଲେ କୋର୍ଟ ଜାମିନ ଖାରଜ କରିଦେଇଥିଲେ। ସଚିନଙ୍କୁ ଜେରା ହେବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥିଲେ।

ଏହାସହ ଥାନେର ବ୍ୟବସାୟୀ ମନସୁଖ ହିରନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବି ତାଙ୍କୁ ଜେରା କରିପାରେ ମୁମ୍ୱାଇ ପୋଲିସର ଏଟିଏସ୍ । ଗତ ଫେବୃଆରୀ ୨୫ ତାରିଖରେ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଆଗରୁ ଏକ ଜିଲେଟିନ୍ ଷ୍ଟିକ୍ ଭର୍ତ୍ତି ସ୍କର୍ପିଓ ଜବତ କରାଯାଇଥିଲା। ଏହି ବୋମାଭର୍ତ୍ତି କାରର ମାଲିକ ମନସୁଖ ହିରେନ ଜେରାର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କ ମୃତ ଦେହ ରହସ୍ୟଜନକ ଭାବରେ ଏକ ନଦୀରୁ ଉଦ୍ଧାର ହୋଇଥିଲା। ଆଉ ମୃତକଙ୍କ ପରିବାର ଲୋକେ ସିଧା ସିଚନ ବାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ଏତଲା ଦେଇଥିଲେ।

Leave A Reply

Your email address will not be published.