ନୂଆଦିଲ୍ଲୀ: ଆସାମ ମିଶନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଆଜି ପ୍ରିୟଙ୍କାର ଦୁଇ ଦିନିଆ ଆସାମ ଗସ୍ତର ଶେଷ ଦିନ । ଦୁଇ ଦିନିଆ ଗସ୍ତ ବେଳେ ଜୋର୍ଦାର୍ ପ୍ରଚାର ଚଳାଇଛନ୍ତି ପ୍ରିୟଙ୍କା । ଆଜି ଆସାମର ତେଜପୁରର ଏକ ବିରାଟ ଜନସଭାକୁ ପ୍ରିୟଙ୍କା ସମ୍ବେଧିତ କରିଛନ୍ତି । ଏହା ପୂର୍ବରୁ ସେ ଚା’ ବଗିଚାର ମହିଳା ଶ୍ରମିକଙ୍କୁ ଭେଟିଛନ୍ତି । ସେଠାରେ ପ୍ରିୟଙ୍କା ଏକ ଟୋକେଇ ମୁଣ୍ଡରେ ବାନ୍ଧି ଚା’ପତ୍ର ତୋଳୁଥିବା ଦେଖାଯାଇଛି । ଏହାପରେ ସେ କିଛି ସମୟ ମହିଳା ଶ୍ରମିକଙ୍କ ସହ ସମୟ ମଧ୍ୟ ଅତିବାହିତ କରିଥିଲେ । ଚା’ ବଗିଚାରୁ ଫେରିବା ପରେ କଂଗ୍ରେସର ବରିଷ୍ଠ ନେତ୍ରୀ କହିଛନ୍ତି କି ଯେଉଁ ଭଲପାଇବା ସେ ଚା’ ବଗିଚାର କର୍ମଚାରୀଙ୍କଠାରୁ ପାଇଛନ୍ତି ତାହାକୁ ସେ କେବେ ଭୁଲିବେ ନାହିଁ। ପ୍ରିୟଙ୍କା ଏକ ଟ୍ୱିଟ୍ ପୋଷ୍ଟ୍ କରି କହିଛନ୍ତି, ‘ଚା ବଗିଚାର ଶ୍ରମିକଙ୍କ ପରିଶ୍ରମ ସଚ୍ଚୋଟତାରେ ପରିପୂର୍ଣ୍ଣ। ସେମାନଙ୍କ ପରିଶ୍ରମ ଦେଶ ପାଇଁ ବହୁମୂଲ୍ୟ। ଆଜି ସେମାନଙ୍କ ସହ ମିଶି ସେମାନଙ୍କ କାମକାର୍ଯ୍ୟ, ଘରପରିବାରର ହାଲ୍ଚାଲ୍ ବୁଝିଲି। ସେମାନଙ୍କ ଜୀବନର କଷ୍ଟକୁ ଅନୁଭବ କରିପାରିଲି। ସେମାନଙ୍କଠାରୁ ଯେଉଁ ସ୍ନେହ ଓ ଆତ୍ମୀୟତା ପାଇଲି ତାହାକୁ କେବେ ଭୁଲିପାରିବି ନାହିଁ। ସେପଟେ ଦକ୍ଷିଣ ଭାରତ ମିଶନରେ ତାମିଲନାଡୁରେ ଗତକାଲିଠାରୁ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । କେରଳ, ପୁଡୁଚେରୀ ଓ ତାମିଳନାଡୁରେ ନିର୍ବାଚନୀ ପ୍ରଚାର ଦାୟିତ୍ୱ ରାହୁଲଙ୍କ ହାତରେ ରହିଛି । ତେବେ ପ୍ରଚାର ବେଳେ ରାହୁଲଙ୍କ ନୂଆ ରୂପ ଦେଖିବାକୁ ମିଳିଛି । କେରଳରେ ମତ୍ସ୍ୟଜୀବୀଙ୍କ ସହ ମାଛ ମାରିବା ବେଳେ ୬ ପ୍ୟାକ୍ ଆବ୍ସ ଦେଖାଇବା ସହ ତାମିଳନାଡୁରେ ୯ ସେକେଣ୍ଡରେ ନନ୍ଷ୍ଟପ୍ ୧୩ଟି ପୁସ୍ଅପ୍ ମାରି ଚର୍ଚ୍ଚାରେ ରହିଛନ୍ତି ରାହୁଲ ଗାନ୍ଧୀ । ଆଜି ତାମିଲନାଡୁରେ ରାହୁଲ କେତେକ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।