ମାର୍ଚ୍ଚ ଆରମ୍ଭରୁ ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର, ୩ ମାସରେ ବୃଦ୍ଧି ପାଇଛି ୨୨୫ ଟଙ୍କା

ନୂଆଦିଲ୍ଲୀ: ମାର୍ଚ୍ଚ ଆରମ୍ଭରୁ ମହଙ୍ଗା ଝଟ୍‌କା । ପୁଣି ବଢିଲା ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦର । ଏଥର ୨୫ ଟଙ୍କା ବୃଦ୍ଧି ପାଇଛି ସିଲିଣ୍ଡର ଦର । ଦିଲ୍ଲୀରେ ରୋଷେଇ ସିଲିଣ୍ଡର ଦର ୮୧୯ ଟଙ୍କା ହୋଇଥିବା ବେଳେ କମର୍ସିଆଲ ସିଲିଣ୍ଡର ପିଛା ୯୦ ଟଙ୍କା ୫୦ ପଇସା ବଢ଼ି ୧୬୧୪ ଟଙ୍କାରେ ପହଞ୍ଚିଛି । ଗତ ମାସକ ମଧ୍ୟରେ ସିଲିଣ୍ଡର ଦର ୪ ଥର ବଢ଼ିଲାଣି ।

୪ ଫେବ୍ରୁଆରୀରେ ୨୫ଟଙ୍କା ବଢ଼ିଥିବା ବେଳେ ୧୪ ଫେବ୍ରୁଆରୀରେ ୫୦ ଟଙ୍କା ବଢ଼ିଥିଲା । ଏହାପରେ ଆଉ ୨୫ ଟଙ୍କା ବଢ଼ିଥିବା ବେଳେ ଆଜି ପୁଣି ୨୫ ଟଙ୍କା ବୃଦ୍ଧି ଘଟିଛି । ଗତ ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ LPG ସିଲିଣ୍ଡର ଦର ପ୍ରାୟ ୨୨୫ ଟଙ୍କା ବଢ଼ିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଦର ନିୟନ୍ତ୍ରଣ କରିବାରେ ଅସମର୍ଥ ରହିଛନ୍ତି କେନ୍ଦ୍ର ସରକାର ।

ଗୋଟିଏ ପଟେ ପେଟ୍ରୋଲ ଦର ଲୋକଙ୍କୁ କନ୍ଦାଉଥିବା ବେଳେ ଅନ୍ୟପଟେ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି, ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । କରୋନା କାଳରେ ଅନେକ ଲୋକ ନିଜ ଜୀବିକା ହରାଇ ଘରେ ବସିଥିବା ବେଳେ ଦେଶର ଅର୍ଥନୈତିକ ମେରୁଦରଣ୍ଡ ମଧ୍ୟ ଦୋହଲି ଯାଇଛି । ସାଧାରଣ ଲୋକଙ୍କ ପାଖରେ ଦୈନନ୍ଦିନ ଖର୍ଚ୍ଚ ତଥା ଦୁଇ ଓଳି ଭଲ ଖାଇବାକୁ କଷ୍ଟ ପଡ଼ୁଥିବା ବେଳେ, ଏଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

Leave A Reply

Your email address will not be published.