ସୀମାରେ ଲାଗିବ ଡ୍ରୋନ୍: ପାକିସ୍ତାନ୍ ଷଡ଼ଯନ୍ତ୍ରକୁ କରିବ ପଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ଭାରତରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ ସହ ଯୁଦ୍ଧ ସରଞ୍ଜାମ ପଠାଇବାକୁ ଚାଲିଛି  ପ୍ରସ୍ତୁତି । ଆଉ ପାକିସ୍ତାନର ଏହି ଡ୍ରୋନ ପ୍ରକ୍ରିୟାକୁ ନିଷ୍କ୍ରିୟ କରିବା ପାଇଁ ବର୍ଡ଼ର ସିକ୍ୟୁରିଟି ଫୋର୍ସ ଏବେ ସୀମାରେ ମୋବାଇଲ ହଣ୍ଟିଙ୍ଗ ଟିମ ମୁତୟନ କରିବାକୁ ଯୋଜନା କରିଛି। ସୂଚନା ଅନୁଯାୟୀ ସୀମାରେ ୧୨ଟି ସ୍ଥାନରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ଲାଗିବ।

ଡ୍ରୋନ୍ ଲାଗିବା ସହିତ ସୀମାରେ ମୋବାଇଲ ହଣ୍ଟିଙ୍ଗ ଟିମ ମଧ୍ୟ ରହିବେ । ଏହି ମୋବାଇଲ ହଣ୍ଟିଙ୍ଗ ଟିମ ସୀମାରେ କୌଣସି ଡ୍ରୋନ୍ ନଜର ଆସିଲେ ଏସବୁ ଧ୍ୱଂସ କରିଦେବ। ନୂଆ ଆଣ୍ଟି ଡ୍ରୋନ୍ ସିଷ୍ଟମରେ ଜାମର ଓ ସେନ୍ସର ମଧ୍ୟ ଲାଗିବ। ଏଥିପାଇଁ ଏଣିକି ବିଏସଏଫରେ ଏକ ସ୍ୱତନ୍ତ୍ର ବୈଷୟିକ ଟିମ ରହିବ।

ନିକଟରେ ଭାରତୀୟ ଗୁପ୍ତଚର ସଂସ୍ଥା ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ପାକ୍ ରେଞ୍ଜର୍ସଙ୍କ ଏକ ଚ୍ୟାଟକୁ ଡିକୋଡ୍ କରିଥିଲେ। ଯେଉଁଥିରେ ଜଣାପଡ଼ିଥିଲା ​​ଯେ ପାକିସ୍ତାନ, ଜାମ୍ମୁର ଅନ୍ତର୍ଜାତୀୟ ସୀମା କାଠୁଆ, ସାମ୍ବା ଏବଂ ହିରାନଗର ସେକ୍ଟରକୁ  ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଡ୍ରୋନ୍ ବ୍ୟବହାର କରୁଥିଲେ। ଏ ନେଇ ଭାରତୀୟ ସୁରକ୍ଷା ଏଜେନ୍ସି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇଥିଲା। ସୂଚନା ଅନୁଯାୟୀ, ପାକ୍ ରେଞ୍ଜର୍ସ ଶାକରଗଡ଼ରେ ଏକ ଡ୍ରୋନ୍ ଷ୍ଟେସନ୍ କରିଛି। ଯେଉଁଠାରୁ ଡ୍ରୋନ ଜରିଆରେ ହତିଆର ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ତଦାରଖ ଏବଂ ଭାରତୀୟ ସୁରକ୍ଷା ବାହିନୀର ସ୍ଥିତି ଉପରେ ନଜର ରଖୁଛି । ତେବେ ପାକ୍ର ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିବାକୁ ଭାରତ ସୀମାରେ ଏହି ମୋବାଇଲ୍ ହଣ୍ଟିଂ ଟିମ୍ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.