ଜୁମ୍ ମିଟିଂରେ ୯୦୦ କର୍ମଚାରୀଙ୍କ ଚାକିରି ନେଇଥିବା ବିଶାଳ ଗର୍ଗଙ୍କୁ କମ୍ପାନୀ ଛୁଟିରେ ପଠାଇ ଚିଫ୍ ଫାଇନାନ୍ସଆଲ ଅଫିସର କେଭିନ୍ ରିଆନଙ୍କୁ ସିଇଓ ଦାୟିତ୍ୱ ଦେଲା
ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ବେଟର ଡଟ୍ କମର ସିଇଓ ବିଶାଲ ଗର୍ଗ । ସିଇଓ ଭାବେ ସେ ଯେଉଁ ପଦକ୍ଷେପ ନେଲେ ସାରା ବିଶ୍ୱରେ ଏଥିପାଇଁ ସେ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଜୁମ୍ ଭିଡିଓ କଲରେ ବୈଠକ କରି ୯୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେବା ଭଳି କାରନାମା କରିଛନ୍ତି ବିଶାଲ ଗର୍ଗ । କିନ୍ତୁ ତାଙ୍କର ଏହି ପଦକ୍ଷେପ ପରେ ସାରା ବିଶ୍ୱରେ ତାଙ୍କୁ ସମାଲୋଚିତ ହେବାକୁ ପଡିଛି । ଅବଶ୍ୟ ଏହି ଘଟଣା ପରେ ବିଶାଲ ମଧ୍ୟ ତାଙ୍କ ଭୁଲର ସ୍ୱୀକାର କରିଛନ୍ତି । ଏପରି କରିବା ଉଚିତ ନଥିଲା ବୋଲି ସେ ସଫେଇ ଦେଇଛନ୍ତି ମଧ୍ୟ ।
ଏହାରି ଭିତରେ ଜୁମ୍ କଲରେ ୯୦୦ କର୍ମଚାରୀଙ୍କୁ ବାହାର କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆନନ୍ଦ ମହିନ୍ଦ୍ରା ।ଏହି ଘଟଣାରେ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ଲେଖିଛନ୍ତି କି ମୁଁ ଜାଣିବାକୁ ଆଗ୍ରହୀ ଯେ ଜଣେ ସିଇଓ ଏପରି ଭୁଲ କଲା ପରେ କିପରି ଭାବରେ ସିଇଓ ପଦରେ ରହିପାରିବେ? ତାଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବା ଠିକ୍ କି ନୁହେଁ ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଥିଲେ ଆନନ୍ଦ ମହିନ୍ଦ୍ରା । ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟ ପରେ ସୋସିଆଲ ମିଡିଆ ପ୍ଲାଟର୍ଫମରେ ବିଶାଲ ଗର୍ଗଙ୍କ ବିଷୟରେ ନାନା ଟିପ୍ପଣୀ ବା ଟ୍ୱିଟ କରାଯାଇଛି ଯାହା ତାଙ୍କୁ ସମାଲୋଚିତ କରିଛି ।
ଆମେରିକା ସମ୍ବାଦ ପତ୍ର ନିୟୁର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ ଏହି ଘଟଣା ପରେ ବିଶାଲ ଗର୍ଗ କ୍ଷମା ମାଗିଥିଲେ । ସେ କହିଥିଲେ କି ତାଙ୍କ ଦ୍ୱାରା ଏକ ବଡ଼ ଭୁଲ ହୋଇଛି । ତେବେ ଏସବୁ ମଧ୍ୟରେ କମ୍ପାନୀ ବିଶାଲ ଗର୍ଗଙ୍କୁ ତୁରନ୍ତ ଛୁଟିରେ ପଠାଇ ଦେଇଛି । ସିଇଓଙ୍କ ଅନୁପସ୍ଥିତିରେ କମ୍ପାନୀର ଚିଫ୍ ଫାଇନାନ୍ସଆଲ ଅଫିସର କେଭିନ୍ ରିଆନ ବର୍ତ୍ତମାନ କମ୍ପାନୀର ସମସ୍ତ କାର୍ଯ୍ୟକୁ ତଦାରଖ କରିବେ ଏବଂ ବୋର୍ଡକୁ ରିପୋର୍ଟ କରିବେ ।
ସୂଚନାଯୋଗ୍ୟ ଯେ, ବିଶାଲ ଗର୍ଗ ଏକ ଜୁମ୍ ମିଟିଂରେ କମ୍ପାନୀର ୯୦୦ କର୍ମଚାରୀଙ୍କୁ ଛଟେଇ କରିଥିଲେ । କମ୍ପାନୀର କ୍ଷତି ହେତୁ ସେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛନ୍ତି ବୋଲି କହିଥିଲେ ବିଶାଲ । ଜୁମ୍ ମିଟିଂରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ସୋସିଆଲ ମିଡିଆରେ ବିଶାଲ ବହୁ ସମାଲୋଚନାର ଶିକାର ହୋଇଥିଲେ ।