ନୂଆଦିଲ୍ଲୀ: ଏକ ଅଭାବନୀୟ ଘଟଣା କ୍ରମେ ଡିସେମ୍ବର ୮ ତାରିଖରେ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ତାମିଲନାଡ଼ୁର କନ୍ନୁରରେ ସେନା ହେଲିକପ୍ଟର କ୍ରାସ ହୋଇଥିଲା । ଉକ୍ତ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀଙ୍କ ସହ ୧୧ ଜଣ ଥିଲେ । ହେଲିକପ୍ଟରଟି ୱେଲିଂଟନ୍ ସ୍ଥିତ ଡିଫେନ୍ସ ସର୍ଭିସେସ ଷ୍ଟାଫ୍ କଲେଜ ଯାଉଥିବା ବେଳେ ନୀଳଗିରି ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସାରା ଦେଶକୁ ସ୍ତମ୍ଭୀଭୂତ କରି ଦେଇଥିଲା । ସ୍ତବ୍ଧ ହୋଇଯାଇଥିଲେ ଭାରତବାସୀ ।

ଏହି ଘଟଣା କ୍ରମେ ଶୁକ୍ରବାର ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀରକୁ ରାଜକୀୟ ସମ୍ମାନ ସହ ଦିଲ୍ଲୀର ଛାବନି ବରାର ସ୍କାୱୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ପଞ୍ଚଭୂତରେ ଲୀନ ହୋଇଛନ୍ତି ମଧୁଲିକା ଏବଂ ବିପିନ ରାୱତ । ବିପିନ ରାୱତ ଓ ମଧୁଲିକା ରାୱତଙ୍କ ଝିଅ କୃତିକା ଓ ତାରିଣୀ ବାପାମାଆଙ୍କୁ ମୁଖାଗ୍ନି ଦେଇଛନ୍ତି । ଶ୍ମଶାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅନ୍ୟ ଦେଶର ଅଧିକାରୀଙ୍କ ସହ ତିନି ସେନା ମୁଖ୍ୟ ଅନ୍ତିମ ଦର୍ଶନ କରିଛନ୍ତି ।
ବିପିନ ରାୱତଙ୍କ ମରଶରୀର ଅନ୍ତିମ ଯାତ୍ରାରେ ଯିବା ବେଳେ ଲୋକାରଣ୍ୟ ହୋଇ ପଡ଼ିଥିଲା ଦିଲ୍ଲୀର ସଡ଼କ । ସବୁଠି ଗୁଞ୍ଜରିତ ହେଉଥିଲା ଗୋଟିଏ ନାରା, ବିପିନ ରାୱତ ଅମର ରହେ । ସୂର୍ଯ୍ୟ, ଚନ୍ଦ୍ର ଥିବା ଯାଏ ବିପିନ ରାୱତଙ୍କ ନାଁ ରହିଥିବ ବୋଲି ଶୁଣା ଯାଉଥିଲା । ଗୁରୁବାର ସନ୍ଧ୍ୟାରେ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ମରଶରୀର ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଣା ଯାଇଥିଲା ।