ଲାଇଫ ସପୋର୍ଟ ସିଷ୍ଟମରେ ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂ

ନୂଆଦିଲ୍ଲୀ: ଗତ ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଆକ୍ରମଣରେ ପ୍ରାଣ ହରାଇଛନ୍ତି ଭାରତର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ ରାୱତ । ଏହି ଦୁର୍ଘଟଣାରେ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଥିଲେ । ଏହି ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ମୃତ୍ୟୁ ବରଣ କରିଥିବାବେଳେ ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହ ହସ୍ପିଟାଲରେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ସୂଚନା ଅନୁସାରେ ବରୁଣଙ୍କ ଶରୀର ପ୍ରାୟତଃ ୪୫ ପ୍ରତିଶତ ଜଳିଯାଇଛି । ଯାହା ଫଳରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ତାଜା ସୂଚନା ଅନୁସାରେ ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହଙ୍କୁ ଅଧିକ ଚିକିତ୍ସା ପାଇଁ ୱେଲିଂଟନର ସେନା ହସ୍ପିଟାଲରୁ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲକୁ ଆଣାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୩ ଜଣ ସହିଦ ହୋଇଥିବା ସମସ୍ତଙ୍କ ପାର୍ଥିବ ଶରୀରକୁ ୱେଲିଂଟନ ସେନା ହସ୍ପିଟାଲରୁ ମାଦ୍ରାସ ରେଜିମେଣ୍ଟକୁ ଆଣାଯାଇଛି ।

ଦେଶକୁ ସ୍ତବ୍ଧ କରିଦେଇଥିବା ଏହି ଘଟଣା ବିଷୟରେ ଗୁରୁବାର ରାଜ୍ୟସଭାରେ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି କି ବହୁତ ଦୁଃଖର ସହ କହୁଛି କି ଗତ ୮ ଡିସେମ୍ବରରେ ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର କ୍ରାସ୍‌ ହୋଇଯାଇଥିଲା । ଯେଉଁ ବିମାନରେ ଥିଲେ ସିଡିଏସ ବିପିନ ରାୱତ । ଏୟାରଫୋର୍ସର ଗଓ-୧୭ ହେଲିକପ୍ଟର ସୁଲୁର ଏୟାରବେସରୁ ୧୧.୪୮ ମିନିଟରେ ଉଡାଣ ଆରମ୍ଭ କରିଥିଲା । ଏହି ହେଲିକପ୍ଟର ୧୨.୧୫ ମିନିଟରେ ଓ୍‌ୱେଲିଂଟନରେ ଅବତରଣ କରିବାର ଥିଲା । କିନ୍ତୁ ୧୨.୦୮ ମିନିଟ ସମୟରେ ଏହି ହେଲିକପ୍ଟର ଏୟାର ଟ୍ରାଫିକ୍‌ କଣ୍‌ଟ୍ରୋଲ ସହ ସମ୍ପର୍କ ହରାଇଥିଲା ।
ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆହୁରି କହିଥିଲେ କି ହେଲିକପ୍ଟର ଦୁର୍ଘଟଣା ହେବା ପରେ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖିଥିଲେ ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ବାସିନ୍ଦା ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ଏହା ପରେ ତୁରନ୍ତ ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂ ଏବେବି ଗୁରୁତର ଭାବରେ ଲାଇଫ ସପୋର୍ଟ ସିଷ୍ଟମରେ ରହିଛନ୍ତି ବୋଲି ରାଜ୍ୟସଭାରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Leave A Reply

Your email address will not be published.