ଜେନେରାଲ ବିପିନ ରାୱତଙ୍କ ସହ ଅନ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନାର ପ୍ରମୁଖ୍ୟ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାମିଲନାଡୁର ସୁଲୁର ଏୟାରବେସ୍‌ରୁ ସ୍ୱତନ୍ତ୍ର ବିମାନ ଯୋଗେ ସିଡିଏସ୍‌ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ୧୧ ବୀର ଯବାନଙ୍କ ମୃତଦେହକୁ ଦିଲ୍ଲୀର ପାଲମ ଏୟାରବେସ୍‌?କୁ ଅଣାଯାଇଛି । ସେଠାରେ ମୋଦି ପହଂଚି ଜେନେରାଲ ରାୱତଙ୍କ ସମେତ ଅନ୍ୟ ଯବାନମାନଙ୍କୁ ଶେଷ ବିଦାୟ ଜଣାଇଛନ୍ତି ।

ସମସ୍ତଙ୍କ ପାର୍ଥିବ ଶରୀରରେ ପୁଷ୍ପ ଦେଇ ବୀରଙ୍କ ସଦଗତି କାମନା କରିଛନ୍ତି । ସେମାନଙ୍କ ପରିବାର ଲୋକଙ୍କ ସହ ମଧ୍ୟ କଥା ହୋଇଛନ୍ତି । ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ପାଲମ ଏୟାରବେସ୍‌କୁ ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ବିମାନ ପାଲମ ଏୟାରବେସ୍‌ରେ ପହଂଚିବା ପରେ ପ୍ରଥମେ ଜେନେରାଲ ରାୱତଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆଯାଇ ବାହାରକୁ ଅଣାଯାଇଥିଲା । ଏହାପରେ ଜଣଙ୍କ ପରେ ଜଣେ ଯବାନଙ୍କ ମରଶରୀରକୁ ବିମାନରୁ କଢା ଯାଇଥିଲା । ଏହି ସମୟରେ ଏୟାରବେସରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.