ଏମଆଇ-୧୭-ଭି-ଫାଇଭ ହେଲିକପ୍ଟର କ୍ରାସ: ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ସେନା ଅଧିକାରୀଙ୍କ ଅକାଳ ବିୟୋଗ
ନୂଆଦିଲ୍ଲୀ: ଅତ୍ୟନ୍ତ ଦୁଃଖଦାୟକ ଏବଂ ହୃଦୟ ବିଦାରକ ଘଟଣା କ୍ରମେ ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଭାରତର ପ୍ରଥମ ତଥା ବର୍ତମାନର ପ୍ରତିରକ୍ଷା ମୁଖ୍ୟ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ବିପିନ ରାୱତଙ୍କର ଅକାଳ ବିୟୋଗ ହୋଇଛି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭାରତୀୟ ବାୟୁ ସେନା । ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ ମାଧ୍ୟମରେ ଦିଆଯାଇଥିବା ଖବର ଅନୁଯାୟୀ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ଅଧିକାରୀଙ୍କ ଏହି ଦୁର୍ଘଟଣାରେ ପରଲୋକ ଘଟିଛି ।

ସୂଚନା ଅନୁଯାୟୀ, ସେନାର ଏମଆଇ-୧୭-ଭି-ଫାଇଭ ହେଲିକପ୍ଟରରେ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ବିପିନ ରାୱତ, ତାଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ଯାଉଥିବା ବେଳେ କୋଏମ୍ବାଟୁର ଏବଂ ସୁଲୁର ମଧ୍ୟରେ ଥିବା ଏକ ସ୍ଥାନ କୁନୁରରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଆର୍ମି ହେଲିକ୍ୟାପ୍ଟରରେ ୧୪ ଜଣ ଯାତ୍ରୀ ଥିଲେ ।
କୁହାଯାଉଛି ଯେ, ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାରେ ଶିକାର ହୋଇଥିଲା । ଏହି ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ବି ଥିଲେ । ଉଦ୍ଧାର ହୋଇଥିବା ଲୋକଙ୍କୁ ୱିଲିଂଟନ ବେସରେ ଚିକିତ୍ସା କରାଯାଉଛି । ପ୍ରାରମ୍ଭିକ ସୂଚନା ମୁତାବକ ସିଡିଏସ ବିପିନ ରାୱତ ନିଜ ପତ୍ନୀଙ୍କ ସହ ୱିଲିଂଟନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ୱିଲିଂଟନ ଠାରେ ଆର୍ମ ଫୋର୍ସର ଏକ କଲେଜ ରହିଛି । ସେଠାରେ ସିଡିଏସ ବିପିନ ରାୱତ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ସେଠାରୁ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିବା ବାଟରେ କୁନ୍ନୁର ଠାରେ ହେଲିକପ୍ଟରଟି ଦୁର୍ଘଟଣାରେ ଶିକାର ହୋଇଛି । ହେଲିକପ୍ଟରରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ, ଏସଏମ. ଭିଏସଏମ, ହରଜିନ୍ଦର ସିଂ,ଏନ.କେ ଗୁରୁସ୍ୱେକା ସିଂ, ଏନ.କେ ଜିତେନ୍ଦ୍ର କୁମାର, ଏଲ.ଏନକେ ବିବେକ କୁମାର,ଏଲ.ଏନକେ.ବି ସାଇ ତେଜା, ଓ ଏଚଏଭି ସତପାଲ ସାମିଲ ଥିଲେ ।

ଜେନେରାଲ ବିପିନ ରାୱତଭାରତର ପ୍ରଥମ ତଥା ବର୍ତମାନର ପ୍ରତିରକ୍ଷା ମୁଖ୍ୟ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) । ସେ ୧ ଜାନୁୟାରୀ ୨୦୨୦ ରେ ପ୍ରତିରକ୍ଷା ବିଭାଗର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପୂର୍ବରୁ ସେ ଭାରତୀୟ ସେନାର ମୁଖ୍ୟ ଥିଲେ । ରାୱତ ୩୧ ଡିସେମ୍ବର ୨୦୧୬ ରୁ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଭାରତୀୟ ସ୍ଥଳ ସେନାର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ।

ବିପିନ ରାୱତ ୧୯୫୮ ମାର୍ଚ୍ଚ ୧୬ରେ ଉତରାଖଣ୍ଡର ପୌରୀ ଗ୍ରହାଲ ଜିଲ୍ଲାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଲେଫ୍ଟନାଂଟ ଜେନେରାଲ ଲକ୍ଷ୍ମଣ ସିଂ ରାୱତ ଯିଏକି ଦୀର୍ଘ ବର୍ଷ ଧରି ଭାରତୀୟ ସେନାର ଅଂଶ ଥିଲେ । ଜେନେରାଲ୍ ବିପିନ ରାୱତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ ଏବଂ ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜରେ ଅଧ୍ୟୟନ କରିଛନ୍ତି । ସେ ମାଡ୍ରାସ୍ ୟୁନିଭରସିଟିରୁ ପ୍ରତିରକ୍ଷା ସେବାରେ ତାଙ୍କର ଏମ୍?ଫିଲ୍ଡ କରିଛନ୍ତି । ଜେନେରାଲ ବିପିନ ରାୱତ ୧୬ ଡିସେମ୍ବର ୧୯୭୮ ରେ ଗୋରଖା ରାଇଫଲ୍ସର ପଂଚମ ବାଟାଲିୟନରେ ଯୋଗ ଦେଇଥିଲେ । ଏହିଠାରେ ତାଙ୍କ ପିତାଙ୍କ ୟୁନିଟ୍ ମଧ୍ୟ ଅବସ୍ଥିତ ଥିଲା ।

ଜେନେରାଲ୍ ବିପିନ ରାୱତଙ୍କୁ ୧ ସେପ୍ଟେମ୍ବର ୨୦୧୬ ରେ ଭାରତୀୟ ସେନାର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା । ଡିସେମ୍ବର ୨୦୧୬ ରେ, ଭାରତ ସରକାର ଜେନେରାଲ ବିପିନ ରାୱତଙ୍କୁ ଭାରତୀୟ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ । ଜେନେରାଲ ବିପିନ ରାୱତ ଗୋରଖା ବ୍ରିଗେଡର ପଂଚମ ଅଧିକାରୀ ଯିଏକି ଭାରତୀୟ ସେନାର ମୁଖ୍ୟ ହୋଇଥିଲେ । ୧୯୮୭ ରେ ଚୀନ୍ ସହିତ ହୋଇଥିବା ସ୍ୱଳ୍ପ ଯୁଦ୍ଧ ସମୟରେ ଜେନେରାଲ୍ ବିପିନ ରାୱତଙ୍କ ବାଟାଲିୟନ ଚୀନ୍ ସେନା ସହ ଯୁଦ୍ଧ କରିଥିଲା ।