ନୂଆଦିଲ୍ଲୀ: ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ଘୋଷଣା କରିଛି । ଏହି ଅବସରରେ ନବମ ଥର ପାଇଁ ରେପୋରେଟରେ କୌଣସି ପରିବର୍ତନ ଆଣିନାହିଁ ଆରବିଆଇ । ଘୋଷିତ ମୁଦ୍ରାନୀତି ଅନୁସାରେ ରେପୋରେଟକୁ ଅପରିବର୍ତିତ ୪ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ସେହିପରି ରିଭର୍ସ ରେପୋ ରେଟକୁ ବି ଅପରିବର୍ତିତ ରଖାଯାଇଛି । ଏହି ହାର ରହିଛି ୩. ୩୫ ପ୍ରତିଶତ । ରେପୋରେଟ ଅପରିବର୍ତିତ ରଖିବା ଲାଗି ୬ ସଦସ୍ୟ ବିଶିଷ୍ଟ ଆର୍ଥିକ ନୀତି କମିଟି ବା ଏମପିସିର ସର୍ବସମ୍ମତି ନିଷ୍ପତି ପରେ ଏହି ଘୋଷଣା କରାଯାଇଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏମପିସି ବୈଠକରେ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ବା ଏମଏସଏଫରେ କୌଣସି ପରିବର୍ତନ କରାଯାଇନାହିଁ ।ଏହି ହାର ରହିଛି ୪.୨୫ ପ୍ରତିଶତ । ଦେଶରେ ଆର୍ଥିକ ଅଭିବୃଦ୍ଧି ଜାରି ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗଭର୍ଣ୍ଣର ।
୨୦୨୧-୨୨ ଲାଗି ଜିଡିପି ଅଭିବୃଦ୍ଧି ଲକ୍ଷ୍ୟ ୯.୫ ପ୍ରତିଶତ ରଖାଯାଇଥିବାବେଳେ ତୃତୀୟ ତ୍ରୟମାସିକରେ ଏହି ହାର ୬.୬ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସିକରେ ଏହି ହାର ୬ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ସେହିପରି ୨୦୨୨-୨୩ର ପ୍ରଥମ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ହାର ୧୭.୨ ପ୍ରତିଶତ ଲକ୍ଷ୍ୟ ରଖାଯାଇଥିବାବେଳେ ଦ୍ୱିତୀୟ ତ୍ରୟମାସିକରେ ଏହି ହାର ୭.୮ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି ।