ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର: ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ନନ୍ଦ ସାର । ପଦ୍ମଶ୍ରୀ ନନ୍ଦ କୁମାର ପୃଷ୍ଟି ଇହଲୀଳା ସମ୍ବରଣ କରିଛନ୍ତି । କୋଭିଡ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କ ଦେହାନ୍ତ ହୋଇଛି । ସୂଚନା ଯୋଗ୍ୟ ଯେ, ନଭେମ୍ବର ୨୯ ତାରିଖରେ ନନ୍ଦ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ସେ କୋଭିଡ୍‌ ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଥିଲେ । ତାପରେ ସେହି ଦିନ ରାତିରେ ତାଙ୍କୁ ଟାଟା ମେଡିକାଲ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ୪ ତାରିଖରେ ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ଭର୍ତି ହୋଇଥିଲେ । ଆଜି ତାଙ୍କର ପରଲୋକ ହୋଇଛି ।

ତାଙ୍କର ଏହି ବିୟୋଗରେ ରାଜ୍ୟ ତଥା ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ପରଲୋକ ନେଇ ଟ୍ୱିଟ୍‌ ଯୋଗେ ଶୋକବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଶ୍ରୀଯୁକ୍ତ ନନ୍ଦ ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢ଼ି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ । ଗତ କିଛି ସପ୍ତାହ ପୂର୍ବରୁ ଆୟୋଜିତ ପଦ୍ମ ପୁରସ୍କାର ସମାରୋହରେ ସେ ଦେଶର ଦୃଷ୍ଟି ଆକର୍ଷଣ କରିବା ସହ ଦେଶବାସୀଙ୍କ ଶ୍ରଦ୍ଧାର ପାତ୍ର ହୋଇଥିଲେ ।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଜଣେ ସୁନାମଧନ୍ୟ ଶିକ୍ଷକ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ । ସେ ନନ୍ଦ ସାର ନାମରେ ମଧ୍ୟ ପରିଚିତ ଥିଲେ । ଶିକ୍ଷାକ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ତାଙ୍କୁ ୨୦୨୦ ବର୍ଷ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ନନ୍ଦ କିଶୋରଙ୍କ ପିତାଙ୍କ ନାମ ଥିଲା ନାଭ ପୃଷ୍ଟି ଓ ମାତାଙ୍କ ନାମ ଚନ୍ଦ୍ରମଣି ପୃଷ୍ଟି । ୧୯୩୯ ମସିହାରେ ସେ ହାତିବାରୀ ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଧିକ ପାଠପଢ଼ା ବନ୍ଦ କରି, ଚାଷକାମ କରିବା ଆରମ୍ଭ କରିଥିଲେ ।

କିନ୍ତୁ ନିଜ ଗାଁର ପିଲାମାନଙ୍କୁ ମହାନ କରିବାର ଆସକ୍ତି ତାଙ୍କ ଭିତରେ ଅହରହ ଥିଲା । ବିନା ଦେୟରେ ଶିକ୍ଷାଦାନ ଜାରି ରଖିଥିଲେ । ୧୯୪୬ ମସିହାରୁ ନିଜେ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିଲେ । ଶତାୟୁ ହେଲେ ବି ସେ ପିଲାଙ୍କୁ ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ଥିଲେ । ସେ ଜୀବନ କାଳ ଭିତରେ ୩ ହଜାରରୁ ଅଧିକ ପିଲାଙ୍କୁ ମଣିଷ କରିଛନ୍ତି । କିନ୍ତୁ ଶେଷରେ ମଣିଷ ତିଆରି ମନ୍ଦିରର ବିଶ୍ୱକର୍ମା ଆଖି ବୁଜିଛନ୍ତି । ନନ୍ଦ ସାରଙ୍କ ଦେହାନ୍ତରେ ମର୍ମାହତ ସମଗ୍ର ରାଜ୍ୟ । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.