ଆଉ ନାହାନ୍ତି ପ୍ରଖ୍ୟାତ ସାମ୍ବାଦିକ ବିନୋଦ ଦୂଆ

ନୂଆଦିଲ୍ଲୀ: ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଲା ମହାମାରୀ କରୋନା । ବରିଷ୍ଠ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ ଶେଷରେ ଜୀବନ ଯୁଦ୍ଧରେ ଲଢ଼ି ହାରି ଯାଇଛନ୍ତି । ୬୭ ବର୍ଷରେ ଆଖି ବୁଜିଛନ୍ତି ଦେଶର ପରିଚିତ ଓ ପ୍ରତିଷ୍ଠିତ ସାମ୍ବାଦିକ ବିନୋଦ ଦୁଆ । କରୋନାରେ ଆକ୍ରାନ୍ତ ହୋଇ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ମଧ୍ୟ ତାଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ସମସ୍ୟା ଦେଖାଯାଉଥିଲା । ତେଣୁ ତାଙ୍କୁ ନିକଟରେ ପୁଣି ଥରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ଆଉ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଝିଅ ମଲ୍ଲିକା ଦୁଆ ଏହି ସୂଚନା ଦେଇଛନ୍ତି ।

୧୯୫୪ ମାର୍ଚ୍ଚ ୧୧ରେ ଜନ୍ମଗ୍ରହଣ କରିଥିଲେ ବିନୋଦ । ଦୂରଦର୍ଶନ ଓ ଏନଡିଟିଭି ଇଣ୍ଡିଆରେ କାର୍ଯ୍ୟ କରି ସେ ଦେଶରେ ଜଣେ ଚର୍ଚ୍ଚିତ ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଥିଲେ । ୧୯୯୬ରେ ତାଙ୍କୁ ପ୍ରଖ୍ୟାତ ରାମନାଥ ଗୋଏଙ୍କା ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ୨୦୦୮ରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.