ୱେବ ସିରିଜ ମିର୍ଜାପୁରର ଜଣାଶୁଣା କଳାକାର ତଥା ଫିଲ୍ମ ଅଭିନେତା ବ୍ରହ୍ମା ମିଶ୍ରଙ୍କ ଦେହାନ୍ତ

ମୁମ୍ବାଇ: ପୁଣି ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଡାକ୍ତରୀ ଚିକିତ୍ସା କରାଇଥିଲେ । ଚିକିତ୍ସା ପରେ ଘରେ ବିଶ୍ରାମ ନେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଫିଲ୍ମ ଅଭିନେତା ତଥା ୱେବ୍‌ ସୋ ମିର୍ଜାପୁରରେ ଲଲିତ ଭୂମିକା ପାଇଁ ପ୍ରଶଂସା ସାଉଁଟିଥିବା ଜଣାଶୁଣା କଳାକାର ବ୍ରହ୍ମା ମିଶ୍ରଙ୍କ ଦେହାନ୍ତ ହୋଇଛି । ଖବର ଅନୁଯାୟୀ ମୁମ୍ବାଇର ଭର୍ସେଭାସ୍ଥିତ ଫ୍ଲାଟରେ ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଛି । ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କପୁର୍‌ ହସ୍ପିଟାଲକୁ ପଠାଯାଇଥିବା ଜଣାଯାଇଛି ।

ରିପୋର୍ଟ ଅନୁଯାୟୀ, ଏହି ଅଭିନେତା ଜଣଙ୍କ ଗତ ନଭେମ୍ବର ୨୯ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସିତ ହେବା ପରେ ଡାକ୍ତର ତାଙ୍କୁ ଘରକୁ ପଠାଇଥିଲେ । କିନ୍ତୁ ହୃଦ୍‌ଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଆନୁସଙ୍ଗିକ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ମିର୍ଜାପୁରରେ ମୁନ୍ନା ତ୍ରୀପାଠି ଭୂମିକାରେ ଅଭିନୟ କରିଥିବା ଅଭିନେତା ଦିବ୍ୟେନ୍ଦୁ ମିଶ୍ର ବ୍ରହ୍ମାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ବ୍ରହ୍ମା ଅନେକ ଫିଲ୍ମ ଓ ସିରିୟଲରେ ଅଭିନୟ କରିଥିବା ବେଳେ ମିର୍ଜାପୁର ତାଙ୍କୁ ପରିଚୟ ଦେଇଥିଲା । ଏହି ସିରିଜରେ ବ୍ରହ୍ମ ଖୁବ ସୁନ୍ଦର ଅଭିନୟ କରିବା ସହିତ ତାଙ୍କ ଚରିତ୍ର ଖୁବ୍‌ ଦମଦାର୍‌ ରହିଥିଲା । ଭୋପାଳର ବାସିନ୍ଦା ବ୍ରହ୍ମାଙ୍କର ପିଲାବେଳରୁ ସ୍ୱପ୍ନ ଥିଲା ଅଭିନେତା ହେବା । ୨୦୧୩ରେ ସେ ଚୋର ଚୋର ସୁପର ଚୋର୍‌ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ଅକ୍ଷୟଙ୍କ ଫିଲ୍ମ କେଶରୀରେ ଖୁଦାଦଦ ଖାନ୍‌ର ରୋଲ୍‌ ପ୍ଲେ କରିଥିଲେ ।

Leave A Reply

Your email address will not be published.