ନୂଆଦିଲ୍ଲୀ: କରୋନା ଭୂତାଣୁ ୨ବର୍ଷ ହେଲା ସାରା ବିଶ୍ୱକୁ କଲବଲ କରୁଥିବା ବେଳେ ଏଇ କିଛିଦିନ ହେଲା କରୋନାର କରାଳ ରୂପ ସାମାନ୍ୟ ଅସ୍ତମିତ ହୋଇଥିଲା । ଫଳରେ ଲୋକେ ଶାନ୍ତିରେ ଟିକେ ନିଃଶ୍ୱାସ ମାରୁଥିଲେ । ମାତ୍ର ପୁଣି କରୋନାର ରୂପ ରାକ୍ଷାସର ନୂଆ ରୂପ ସାରାବିଶ୍ୱକୁ ଆତଙ୍କିିତ କରି ଦେଇଛି । ସମସ୍ତେ ଏକ ପ୍ରକାର ଭୟଭୀତ ଅବସ୍ଥାରେ ଅଛନ୍ତି । କଣ ହେବ ଆଗକୁ ତାହାକୁ ନେଇ ସମସ୍ତଙ୍କ ମନରେ ଶଙ୍କା ଭରି ରହିଛି ।

କରୋନାର ନୂଆ ରୂପ ଓମିକ୍ରନକୁ ନେଇ ପୂରା ବିଶ୍ୱ ଭୟଭୀତ । ଏହି ଭାରିଏଂଟ ପୂର୍ବପେକ୍ଷା ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେବା ପରେ ସମସ୍ତଙ୍କ ମନରେ ପଶିଛି ଛନକା । ଦକ୍ଷିଣ ଆଫ୍ରିକାର ଗୋତେଙ୍ଗରୁ ସୃଷ୍ଟି ହୋଇଥିବା ଏହି ନୂଆ ଭୁତାଣୁ ଏବେ ବିଶ୍ୱର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଏହି ସ୍ଥାନର ପ୍ରାୟ ୯୦ ପ୍ରତିଶତ ଲୋକ ଏହି ନୂଆ ଭାରିଏଂଟ ଦ୍ୱାରା ସଂକ୍ରମିତ ହୋଇ ପଡିଛନ୍ତି ଜଣାପଡ଼ିଛି । ପ୍ରାୟ ୨ବର୍ଷ ହେଲା କରୋନା ମହାମାରୀ ପ୍ରଭାବରେ ଦହଗଞ୍ଜ ହେଉଥିବା ବିଶ୍ୱବାସୀ ଲକଡାଉନ୍, ଆଇସୋଲେସନ ଆଉ ସଂକ୍ରମଣ ଭିତରେ ପ୍ରତିଟି ସମୟ ବିତୁଥିବା ବେଳେ ଏବେ କରୋନାର ଏହି ନୂଆ ରୂପ ସମସ୍ତଙ୍କ ଚିନ୍ତା ବଢ଼ାଇଛି ।
ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା ଏହି ନୂଆ ଭୁତାଣୁ ଏବେ ବିଶ୍ୱର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ସାଉଥଆଫ୍ରିକାରୁ ଓମକ୍ରନ୍ କେସ୍ ପ୍ରଥମ ଥର ପାଇଁ ଡିଟେକ୍ଟ ହୋଇଥିବା ବେଳେ ଏବେ ଏହା ୧୩ଟି ଦେଶକୁ ବ୍ୟାପିଲାଣି । ଅଷ୍ଟ୍ରେଲିଆ , ବେଲଜିୟମ, ବ୍ରିଟେନ, ଡେନମାର୍କ, ଜର୍ମାନୀ, ହଙ୍ଗକଙ୍ଗ, ଇସ୍ରାଏଲ, ଇଟାଲୀ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, କାନାଡ଼ା ଭଳି ଦେଶରେ କରୋନାର ଏହି ନୂ୍ଆ ଭାରିଏଂଟ ଡିଟେକ୍ଟ ହୋଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାତ୍ର ୨ଦିନ ମଧ୍ୟରେ ଓମିକ୍ରନକୁ ଭ୍ୟାରିଆଂଟ ଅଫ୍ କନସର୍ଣ୍ଣ ଘୋଷଣା କରିଛି । କୁହାଯାଉଛି କରୋନାର ଡେଲଟା ଭାରିଏଂଟ ଠାରୁ ଏହା ୬ଗୁଣ ଅଧିକ ମାରାତ୍ମକ ।