ନୂଆଦିଲ୍ଲୀ: ରାମାୟଣରେ ଉଲ୍ଳେଖ ଥିବା ରାବଣର ପୁଷ୍କକ ବିମାନ ଉପରେ ଅଧିକ ଗବେଷଣା ପାଇଁ ଶ୍ରୀଲଙ୍କା ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ୨୦୧୯ ମସିହାରେ ପ୍ରଥମ କିସ୍ତିରେ ଏହି କାମ ପାଇଁ ଏକ ସଂସ୍ଥାକୁ ୫୦ ଲକ୍ଷ ଟଙ୍କା ମଂଜୁର କରିଥିଲେ ଏବଂ ଏହାପରେ ଅଧିକ ଗବେଷଣା ପାଇଁ ଆହୁର ଅର୍ଥ ମଂଜୁରି ପାଇର୍ ସୁପାରିଶ ହୋଇଛି । ଐତିହାସିକଙ୍କ ସମେତ ବହୁ ଲୋକଙ୍କ ବିଶ୍ୱାସ ରହିଛି ଯେ, ରାବଣ ଜଣେ ପୌରାଣିକ ଚରିତ୍ର ନୁହଁନ୍ତି ବରଂ ସେ ସତସତିକା ମଣିଷ । ଯିଏକି ଶ୍ରୀଲଙ୍କା ଉପରେ ରାଜୁତି କରୁଥିଲେ ।
କରୋନା ମହାମାରୀ ସମୟରେ ଏହି ଗବେଷଣା ଅଟକି ରହିଥିଲା । ହେଲେ ଏବେ ସ୍ଥିତି ସ୍ୱାଭାବିକ ହେଉଥିବାରୁ ସରକାର ପୁଣିଥରେ ଗବେଷଣା ଆରମ୍ଭ କରିବା ଲାଗି ନିଷ୍ପତି ଶ୍ରୀଲଙ୍କା ସରକାର ନେଇଛନ୍ତି । ଯାହା ୨୦୨୨ ମସିହା ପ୍ରାରମ୍ଭରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଇଛି ।
ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ପୂର୍ବତନ ଉପ-ସଭାପତି ଶଶି ଦାନାତୁଙ୍ଗେ କହିଛନ୍ତି ଯେ, ଆସନ୍ତା ବର୍ଷ ଆରମ୍ଭରୁ ଏହି ଗବେଷଣା କରାଯିବ । ଆଉ ଏଥିପାଇଁ ଆଗ୍ରହ ପ୍ରକାଶ କରିଛି ରାଜପକ୍ସାସ୍ । ଅପରପକ୍ଷେ ରାବଣ ଓ ପୁଷ୍ପକ ବିମାନ ସହ ଦୁଇ ଦେଶର ସମ୍ପର୍କ ଯୋଡିହୋଇଥିବାରୁ ଏହି ଗବେଷଣାରେ ଭାରତ ମଧ୍ୟ ଅଂଶ ଗ୍ରହଣ କରୁ ବୋଲି ଇଛା ପ୍ରକାଶ କରିଛି ଶ୍ରୀଲଙ୍କା ।
ଉଲ୍ଲେଖଯୋଗ୍ୟ, ଏନେଇ ଅଧିକ ଗବେଷଣା ଲାଗି ଦୁଇ ବର୍ଷ ତଳେ କଲମ୍ବୋରେ ବେସାମରିକ ବିମାନ ବିଶେଷଜ୍ଞ, ପ୍ରତ୍ନତତ୍ୱବିତ , ଭୂତତ୍ୱବିତ ଓ ଐତିହାସିକମାନଙ୍କ ଏକ ବୈଠକ ବସିଥିଲା । ରାବଣଙ୍କ ବିମାନ ସତରେ ଥିଲା କି ନାହିଁ, ବର୍ଣ୍ଣିତ ବିମାନବନ୍ଦର ସତ ନା ମିଥ୍ୟା, ରାବଣଙ୍କ ପୁଷ୍ପକ ବିମାନ ନେଇ ବହୁ ପୁରାଣ, ଶାସ୍ତ୍ର, ପୁସ୍ତକରେ ଲିପିବଦ୍ଧ ରହିଥିବାବେଳେ ଏହାର ବୈଜ୍ଞାନିକ ପ୍ରମାଣ ଯୋଗାଡ କରିବା ଲାଗି ପଦକ୍ଷେପ ନିଆଯାଇଛି ।