ବାରଣାସୀ ବୈଜ୍ଞାନିକଙ୍କ ଚମତ୍କାର ଉଦ୍ଭାବନ: ଗୋଟିଏ ଗଛରେ ଫଳୁଛି ବାଇଗଣ ଓ ଟମାଟୋ

ନୂଆଦିଲ୍ଲୀ: ଭାରତୀୟ କୃଷିବିଜ୍ଞାନୀଙ୍କ ଆଉ ଏକ ଚମତ୍କାର ଆବିଷ୍କାର । ଇଣ୍ଡିଆନ କାଉନସିଲ ଅଫ୍ ଏଗ୍ରିକଲଚରାଲ ରିସର୍ଚ୍ଚ (ଆଇଆଇଭିଆର) ପକ୍ଷରୁ ଏମିତି ଏକ ଉଦ୍ଭାବନ କରାଯାଇଛି ଯାହା ଦେଖିଲେ ମଧ୍ୟ ଅବିଶ୍ୱସନୀୟ ମନେ ହେବ । ଗ୍ରାଫ୍ଟିଂ ଟେକନିକ୍ ଜରିଆରେ ଗୋଟିଏ ଗଛରେ ଟମାଟୋ ଏବଂ ବାଇଗଣ ଫଳାଇବାରେ ସଫଳ ହୋଇଛନ୍ତି ବାରଣାସୀର ବୈଜ୍ଞାନିକ । ଏହି ଗଛର ନାମ ‘ବ୍ରିମାଟୋ’ ରଖାଯାଇଛି । ଗ୍ରାମାଞ୍ଚଳ ତଥା କମ ସ୍ଥାନରେ ହେଉଥିବା କୃଷି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । କିଚେନ ଗାର୍ଡେନ ମଡେଲ ତଥା କମ୍ ଯାଗାରେ ଏହି ଚାଷ ଜରିଆରେ ଅଧିକ ଉତ୍ପାଦନ ହୋଇ ପାରିବ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ଆଇଆଇଭିଆର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗଛରେ କମ ପାଣି, ସାର ଏବଂ ଶ୍ରମ ବ୍ୟବହାର ହୋଇଥାଏ ।

ଗୋଟିଏ ଗଛରୁ ପ୍ରାୟ ୩-୪ କିଗ୍ରା ବାଇଗଣ ଏବଂ ୨-୩ କିଗ୍ରା ଟମାଟୋ ଅମଳ ହୋଇଥାଏ । ଏହି ଗ୍ରାଫ୍ଟିଂ ପାଇଁ କାଶୀ ସନ୍ଦେଶ ପ୍ରଜାତିର ହାଇବ୍ରିଡ ବାଇଗଣ ଏବଂ କାଶୀ ସନ୍ଦେଶ ପ୍ରଜାତିର ଟମାଟୋ ବ୍ୟବହାର କରାଯାଇଥାଏ । ୨୫-୩୦ ଦିନ ପୁରୁଣା ବାଇଗଣ ଗଛ ଏବଂ ୨୨-୨୫ ଦିନର ଟମାଟୋ ଗଛକୁ ଗ୍ରାଫ୍ଟିଂ କରାଯାଇ ଏହି ଗଛ ପ୍ରସ୍ତୁତ କରାଯାଇଥାଏ । ୫-୭ ଦିନ ଯାଏଁ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ତାପମାତ୍ରାରେ ରଖିବାକୁ ପଡିଥାଏ । ଗ୍ରାଫ୍ଟିଂର ୧୫-୧୮ ଦିନ ମଧ୍ୟରେ ଏହାକୁ ପଡିଆରେ ଲଗାଯାଇଥାଏ । ଏହା ପୂର୍ବରୁ ଆଇଆଇଭିଆର ପକ୍ଷରୁ ପମାଟୋ ନାମକ ଗଛ ଉଦ୍ଭାବନ କରାଯାଇଥିଲା ଯେଉଁଥିରୁ ଏକା ସାଙ୍ଗରେ ଆଳୁ ଓ ଟମାଟୋ ଉତ୍ପାଦନ ହୋଇଥାଏ ।

Leave A Reply

Your email address will not be published.