ବିଶ୍ବର ସର୍ବପ୍ରଥମ ମ୍ୟାଲେରିଆ ଟିକାକୁ ମିଳିଲା WHOର ଅନୁମୋଦନ :ଛୋଟ ପିଲାମାନେ ୨ ବର୍ଷ ବୟସ ମଧ୍ୟରେ ୪ଟି ଡୋଜ୍‌ ନେବେ

ଜେନେଭା: ମ୍ୟାଲେରିଆ ବିରୁଦ୍ଧରେ ଲଢିବା ପାଇଁ ବିଶ୍ବକୁ ମିଳିଲା ପ୍ରଥମ ଅସ୍ତ୍ର । ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ମିଳିଲା WHOର ଅନୁମୋଦନ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୁଧବାର WHO ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକା RTS,S/AS01ର ବ୍ୟବହାର ପାଇଁ ଅନୁମୋଦନ ଦେଇଛି ।

ଏନେଇ WHO ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ ସୂଚନା ଦେଇଛନ୍ତି । ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ RTS, S/AS01 ମ୍ୟାଲେରିଆ ଟିକା ହେଉଛି ମଶା କାମୁଡ଼ିବା ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ବିରୋଧରେ ବିଶ୍ୱର ପ୍ରଥମ ଟିକା । ତଥ୍ୟ ଅନୁସାରେ ସାରା ବିଶ୍ୱରେ ମଶାଜନିତ ସଂକ୍ରମଣ ଯୋଗୁ ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ବିଶେଷ କରି ଆଫ୍ରିକାର ପିଲାମାନେ ଏହି ରୋଗରେ ପ୍ରାଣ ହରାଇଥାଆନ୍ତି । ତେଣୁ RTS,S/AS01 ମ୍ୟାଲେରିଆ ଟିକା ଏହା ବିରୋଧରେ ଅସ୍ତ୍ର ଭଳି ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

୨୦୧୯ରୁ ଘାନା, କେନିୟା ଓ ମାଲାୱିରେ ଏହି ଟିକା ୨ ନିୟୁତରୁ ଅଧିକ ଡୋଜ୍‌ ପିଲାମାନଙ୍କୁ ଦିଆଯାଇଥିଲା । ଏହି ପରୀକ୍ଷାମୂଳକ ଟୀକାକରଣରେ ସଫଳତା ମିଳିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ଏହାକୁ ଅନୁମୋଦନ ଦେଇଛି । ପ୍ରଥମେ ଫାର୍ମାସିଟ୍ୟୁକାଲ କମ୍ପାନୀ ଜିଏସ୍‌କେ ୧୯୮୭ରେ ଏହି ଟିକାର ଉଦ୍ଭାବନ କରିଥିଲା । କିନ୍ତୁ ଏଯାଏଁ ଏହାକୁ ଅନୁମୋଦନ ମିଳିନଥିଲା ।

ତେବେ ଟିକାର ଟ୍ରାଏଲ ହୋଇଥିବା ଦେଶଗୁଡ଼ିକରୁ ସକାରାମତ୍କ ଫଳାଫଳ ମିଳିବା ପରେ ଟିକାକୁ WHOର ଅନୁମୋଦନ ମିଳିଛି । WHO କହିଛି ଯେ, ଛୋଟ ପିଲାମାନେ ଏହି ଟିକାର ୪ଟି ଡୋଜ୍‌ ଦୁଇ ବର୍ଷ ବୟସ ମଧ୍ୟରେ ନେବେ ।

କଣ ଏହି RTS,S/AS01 ମ୍ୟାଲେରିଆ ଟିକା ?

ମସ୍କ୍ୟୁରିକ୍ସ ଏବଂ ଗ୍ଲାକ୍ସୋ ସ୍ମିଥକ୍ଲିନ୍ ଦ୍ୱାରା ପ୍ରସ୍ତୁତ ଏହି ଟିକା ପ୍ଲାଜମୋଡିୟମ୍ ଫଲସିପାରମ୍ ବିରୁଦ୍ଧରେ କାର୍ଯ୍ୟ କରିଥାଏ, ଯାହା ଆନୋଫେଲିସ ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ ଏବଂ ଏହା ସମସ୍ତ ମ୍ୟାଲେରିଆ ପରଜୀବୀମାନଙ୍କ ମଧ୍ୟରେ ଘାତକ ଅଟେ । ଅଧ୍ୟୟନରୁ ଜଣାପଡିଛି ଯେ, ଏହି ଟିକା ମ୍ୟାଲେରିଆ ପରଜୀବୀ ସହିତ ଲଢିବା ପାଇଁ ରୋଗ ପ୍ରତିଶେଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।

Leave A Reply

Your email address will not be published.