ଭବାନୀପୁରରେ ଜିତିଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରେକର୍ଡ ବିଜୟ । ପୂର୍ବ ରେକର୍ଡକୁ ପାର କରି ଏହି ବିଜୟ ହାସଲ କରିଛନ୍ତି ଦିଦି । ଭବାନୀପୁର ଉପନିର୍ବାଚନରେ ବିଜୟିନୀ ହେଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ସେ ବିଜେପି ପ୍ରାର୍ଥୀ ପ୍ରିୟଙ୍କାକୁ ହରାଇ ଶେଷରେ ଭବାନୀପୁର ଗଡ଼ରେ କରିବାକୁ ଯାଉଛନ୍ତି ରାଜ୍‌ । ମମତା ଭୋଟ ଗଣତିର ୧୦ ରାଉଣ୍ଡ ସୁଦ୍ଧା ୩୧ ହଜାର ୬୪୫ ଭୋଟରେ ଆଗୁଆ ଥିଲେ । ଏହି ବିଧାନସଭା ଆସନ ପାଇଁ ମୋଟ ୨୧ ରାଉଣ୍ଡରେ ଭୋଟ ଗଣତି ହୋଇଥିଲା । ଶେଷରେ ବିଜୟ ମୁକୁଟ ପିନ୍ଧିଛନ୍ତି ଦିଦି ।

ଭବାନୀପୁରର ସମସ୍ତ ୱାର୍ଡରେ ଟିଏମସି ବିଜୟଲାଭ କରିଛି ବୋଲି ଫଳାଫଳ ଆସିବା ପରେ ଦିଦି ପ୍ରତିକ୍ରିୟା ରଖିଛନ୍ତି । ଏହାସହିତ ବିଜୟ ବ୍ୟବଧାନରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ମମତା । ମମତାଙ୍କୁ ୮୪ ହଜାର ୭୦୯ ଭୋଟ ମିଳିଥିବା ବେଳେ ପ୍ରିୟଙ୍କାକୁ ୨୬ ହଜାର ୩୨୦ଟି ଭୋଟ ଓ CPM ନେତା ଶ୍ରୀଜିବ ବିଶ୍ବାସଙ୍କୁ ମାତ୍ର ୪୨୦୧ଟି ଭୋଟ ମିଳିଛି । ଦିଦି ୫୮ ହଜାର ୮୩୨ ଭୋଟରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କାକୁ ମାତ ଦେଇଛନ୍ତି । ଭବାନୀପୁରରେ ଟିଏମସିକୁ ୭୭.୬୬ ପ୍ରତିଶତ ଭୋଟ ମିଳିଛି । ୨୦୧୧ର ବିଜୟ ବ୍ୟବଧାନକୁ ପାର କରିଛନ୍ତି ମମତା । ୨୦୧୧ରେ ୫୪ ହଜାର ୨୧୩ ଭୋଟରେ ମମତା ଭବାନୀପୁର ନିର୍ବାଚନ ଜିତିଥିଲେ । ତେବେ ତାଙ୍କୁ ସବୁ ସମ୍ପ୍ରଦାୟର ଲୋକମାନେ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ମମତା ।

ସେପଟେ ଶମଶେରଗଞ୍ଜ ଓ ଜାଙ୍ଗିପୁର ବିଧାନସଭା ଆସନରେ ମଧ୍ୟ ଟିଏମସି ଆଗୁଆ ରହିଛି ବୋଲି କହିଛନ୍ତି ମମତା । ଭବାନୀପୁର ଭୋଟ ଗଣତିର ୧୯ ରାଉଣ୍ଡ ସୁଦ୍ଧା ମମତାଙ୍କୁ ୭୬ ହଜାର ୪୧୩ଟି ଭୋଟ ମିଳିଥିବା ବେଳେ ପ୍ରିୟଙ୍କାକୁ ୨୪ ହଜାର ୩୯୬ ଓ ଶ୍ରୀଜିବଙ୍କୁ ୩୫୩୪ଟି ଭୋଟ ମିଳିଥିଲା । ଏହି ସମୟରେ ୫୨ ହଜାର ୧୦ଟି ଭୋଟରେ ମମତା ଆଗୁଆ ଥିଲେ । ୧୭ ରାଉଣ୍ଡ ସୁଦ୍ଧା ମମତା ୪୫ ହଜାର ୭୩୮ ଭୋଟରେ ଆଗୁଆ ଥିଲେ । ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ଆଗୁଆ ଥିଲେ ମମତା । ଫଳରେ ଟିଏମସିର କର୍ମକର୍ତ୍ତାମାନେ ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟରୁ ନାଚଗୀତ ଆରମ୍ଭ କରିଦେଇଥିଲେ । ଭବାନୀପୁରରେ ବିଜୟିନୀ ହେବା ପରେ ଏଠାକାରବାସୀଙ୍କୁ ଦିଦି ଧନ୍ୟବାଦ ଜଣାଇଛନ୍ତି ।

ଭବାନୀପୁର ନିର୍ବାଚନୀ ମଣ୍ଡଳୀରେ ହାରିବା ପରେ ଆସିଛି ବିଜେପି ପ୍ରାର୍ଥୀ ପ୍ରିୟଙ୍କାଙ୍କ ପ୍ରତ୍ରିକ୍ରିୟା । ଦିଦି ଜିତିଲେ ମଧ୍ୟ ଏହି ଖେଳର ସେ ‘ମ୍ୟାନ ଅଫ ଦି ମ୍ୟାଚ’ ବୋଲି କହିଛନ୍ତି । ଯେତେବେଳେ ଛୋଟ ପିମ୍ପୁଡିଟିଏ ଖାଦ୍ୟ ନେଇ ଆଗକୁ ବଢେ ସେ ୧୦୦ ଥର ଖସିପଡିଥାଏ, କିନ୍ତୁ ତା’ର ମନୋବଳ କମିନଥାଏ । ତେବେ ତାଙ୍କ ନିକଟରେ ଆଗକୁ ବହୁତ ବୟସ ରହିଛି, ସେ ବିଜୟ ଲାଗି ପରିଶ୍ରମ କରିବେ ବୋଲି ଦୃଢୋକ୍ତି ଦେଇଛନ୍ତି ।

Leave A Reply

Your email address will not be published.