ହିମାଚଳ ପ୍ରଦେଶରେ ବାଦଲ ପଟା ବର୍ଷା, ବର୍ଷା ପାଣିରେ ଭାସିଗଲା ଅନକେ କାର ଏବଂ ଘର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବାଦଲ ପଟା ବର୍ଷା। ମୌସୁମୀ ଜନିତ ଲଗାଣ ବର୍ଷା ମଧ୍ୟରେ ଧର୍ମଶାଳା ଅଞ୍ଚଳରେ ବାଦଲ ଫାଟିବା ଯୋଗୁ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପର୍ଯ୍ୟଟନ କ୍ଷେତ୍ର ଭାଗସୁରେ ସକାଳୁ ପ୍ରବଳ ବର୍ଷା ଯୋଗୁ ଏକ ଛୋଟ ନାଳରେ ପ୍ରବଳ ଜଳ ମାଡ଼ି ଆସିଥିଲା। ଏହାର ଆଖ ପାଖରେ ଥିବା ଅନେକ ଗୁଡ଼ିଏ କାର ଭାସିଯାଇଥିବା ଦେଖାଯାଇଛି। ଏହାସହ ନିକଟସ୍ଥ ହୋଟେଲଗୁଡ଼ିକ ମଧ୍ୟ ବର୍ଷା ଓ ବନ୍ୟା ଯୋଗୁ ଅତିମାତ୍ରାରେ ପ୍ରଭାବିତ ହୋଇଛି। ଗତ କିଛିଦିନ ହେବ ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ପାହାଡ଼ରେ ମାଡ଼ ହୋଇ ବାଦଲ ଫାଟିବା ଯୋଗୁ ଅତି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ଏଥିଯୋଗୁ ଅନେକ କ୍ଷୟକ୍ଷତି ମଧ୍ୟ ଘଟିଛି । ଅନ୍ୟପଟେ ଲ୍ୟାଣ୍ଡ ସ୍ଲାଇଡ ଯୋଗୁ ଘାଟି ରାସ୍ତା ଜାମ ହୋଇଥିବା ବେଳେ ଅନେକ ସ୍ଥାନରେ ଗାଡ଼ି ମୋଟର ଫସି ରହିଥିବା ଦେଖାଯାଇଛି।

ଉତ୍ତର ଭାରତରେ ମୌସୁମୀର ଆଗମନ ଯୋଗୁ ବିଭିନ୍ନ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ମୁଷଳଧାରାରେ ବର୍ଷା ଯୋଗୁ ପ୍ରଚଣ୍ଡ ଖରାରୁ ତ୍ରାହୀ ପାଇଛି ଉତ୍ତର ଭାରତ। ହେଲେ ବର୍ଷା ସହ  ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଯୋଗୁ ଗୋଟିଏ ଦିନରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୪୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନରେ ୨୦ରୁ ଊର୍ଦ୍ଧ୍ୱଙ୍କ ଜୀବନ ଯାଇଛି। ସେହିପରି ମଧ୍ୟପ୍ରଦେଶରେ ୭ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାନପୁରରେ ୫, ଫିରୋଜାବାଦ ଏବଂ କୌଶମ୍ବୀରେ ୩ ଜଣ ଲେଖାଏଁ ଏବଂ ଉନ୍ନାଓ ଏବଂ ଚିତ୍ରକୋଟରେ ୨ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୨୨ ଜଣ ଲୋକ ମଧ୍ୟ ବଜ୍ରପାତ ଯୋଗୁଁ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୨୦୦ରୁ ଅଧିକ ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି।

ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ମୌସୁମୀ ଜନିତ ବର୍ଷା ଯୋଗୁ ତାପମାତ୍ରାକୁ ତ୍ରାହୀ ମିଳିଥିବା ବେଳେ ଏବେ ବି ମୌସୁମୀ ବର୍ଷା ଅପେକ୍ଷାରେ ରହିଛି ରାଜଧାନୀ ଦିଲ୍ଲୀ । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ଜାରି ରହିଛି । ମହରାଷ୍ଟ୍ର, ଗୁଜୁରାଟ ଓ କେରଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

Leave A Reply

Your email address will not be published.