ରାଜନେତାରୁ ରାଷ୍ଟ୍ରପତି

ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରଣବ ମୁଖାର୍ଜୀଙ୍କ ଜୀବନର ପୂରା କାହାଣୀ

ନୂଆଦିଲ୍ଲୀ: ଦେଶର ତ୍ରୟୋଦଶତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦୁନିଆକୁ କହିଛନ୍ତି ଅଲବିଦା । ଦେହାନ୍ତ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସାମ୍ବାଦିକତାରୁ ରାଜନେତା । ରାଜନେତାରୁ ରାଷ୍ଟ୍ରପତି । ପ୍ରଣବଙ୍କ ଜୀବନକୁ ଏମିତି ଦୁଇଟି ବାକ୍ୟରେ ବ୍ୟାଖ୍ୟା କରାଯାଇପାରେ । ଦେଶର ଧୂରୀଣ ରାଜନେତାଙ୍କ ମଧ୍ୟରୁ ଜଣେ ଥିଲେ ସେ । କିନ୍ତୁ ସେ କେବେ ମଧ୍ୟ ଜଣେ ମାସ୍‌ ଲିଡର ବା ଜନନେତା ନଥିଲେ । ଏକଥା ତାଙ୍କ ସମର୍ଥକ ବି ସ୍ୱୀକାର କରିବେ । ସେ ଏଭଳି ଜଣେ ବିରଳ ରାଜନେତା ଥିଲେ ଯିଏ ଲୋକଙ୍କ ନେତା ନଥିଲେ କିନ୍ତୁ ଦେଶର ନଜରରେ ସେ ଥିଲେ ବା ଦେଶର ନଜର ତାଙ୍କ ଉପରେ ଥିଲା । ଜନାଧାର ନଥିଲେ ମଧ୍ୟ ସେ ଜନତାଙ୍କ ଦୃଷ୍ଟିରେ ଥିଲେ । ଯାହା ତାଙ୍କୁ ଅଲଗା ରାଜନେତାଙ୍କଠାରୁ ଭିନ୍ନ କରିଥିଲା ।

The portrait of the President of India, Shri Pranab Mukherjee.

ଇନ୍ଦିରାଙ୍କଠାରୁ ସୋନିଆ ପୁଣି ରାହୁଲ । କଂଗ୍ରେସର ତିନି ପିଢି ସହ ସେ କାମ କରିଥିଲେ । ତାଙ୍କର ରାଜନୈତିକ ଅଭିଜ୍ଞତା ତାଙ୍କୁ କଂଗ୍ରେସରେ କରିଥିଲା ନମ୍ବର ଦୁଇ । ରାଜୀବଙ୍କଠାରୁ ସୋନିଆଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅମଳରେ ସେ ଥିଲେ କଂଗ୍ରେସ ଦଳର ନମ୍ବର ଦୁଇ । ଅବଶ୍ୟ ଏହା ମଧ୍ୟ କୁହାଯାଏ ଯେ, ସେ ଥିଲେ କଂଗ୍ରେସର ପିଏମ୍‌ ୱ?ଟିଂ ଯିଏ କେବେବି ପ୍ରଧାନମନ୍ତ୍ରୀ ହୋଇ ପାରିନଥିଲେ ।

ପିଏମ୍‌ ଇନ୍‌ ୱେଟିଂ

ପ୍ରଣବ ମହତ୍ୱାକାଂକ୍ଷୀ ଥିଲେ । ରାଜନୀତିରେ ମହତ୍ୱାକାଂକ୍ଷୀ ହେବା କିଛି ଖରାପ ନୁହେଁ । ପ୍ରଣବଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ହେବାର ଇଛା ଥିଲା । କିନ୍ତୁ ତାଙ୍କ ଇଛା କେବେ ମଧ୍ୟ ପୂରଣ ହୋଇପାରିନଥିଲା । ୧୯୮୪ ମସିହାରେ ଇନ୍ଦିରାଙ୍କ ହତ୍ୟା ପରେ ଦେଶରେ ଗୋଟିଏ ପ୍ରଶ୍ନ ଉଠୁଥିଲା । ତାହା ଥିଲା ଏବେ ଦେଶକୁ ନେତୃତ୍ୱ ଦେବ କିଏ ? ଇନ୍ଦିରାଙ୍କ ପରେ କିଏ ? ଏହାର ଉତରରେ ପ୍ରଣବଙ୍କ ନାମ ମଧ୍ୟ ଆସୁଥିଲା । ପ୍ରଣବ ମଧ୍ୟ ଆଗାମୀ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ଥିଲେ ବୋଲି କୁହାଯାଏ । ଇନ୍ଦିରାଙ୍କ ମୃତ୍ୟୁ ପରେ କ୍ୟାବିନେଟର ନମ୍ବର ଦୁଇ ହୋଇଥିବାରୁ ତାଙ୍କୁ କାମଚଳା ପ୍ରଧାନମନ୍ତ୍ରୀ କରାଯିବା ଉଚିତ ବୋଲି କାଳେ ସେ ରାଜୀବ ଗାନ୍ଧିଙ୍କୁ କହିଥିଲେ । ଯାହାକୁ ପ୍ରଣବଙ୍କ କ୍ଷମତା ଲୋଭ ବୋଲି ବିବେଚନା କରାଯାଇଥିଲା ଓ ତାଙ୍କ ନାମକୁ କେବେ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ବିଶେଷକରି ଗାନ୍ଧି ପରିବାର ବିଚାରକୁ ନେଇ ନଥିଲା । ତେବେ ପ୍ରଣବ ମୁଖାର୍ଜୀ ନିଜ ଆତ୍ମ ଜୀବନୀରେ ଏହାକୁ ଖଣ୍ଡନ କରିଛନ୍ତି । ଇନ୍ଦିରାଙ୍କୁ ଗୁଳିମାଡ଼ ଦିନ ରାଜୀବ ପଶ୍ଚିମ ବଙ୍ଗରେ ଥିଲେ ଓ ସେ ତାଙ୍କ ସହ ଦିଲ୍ଲୀ ଫେରିଥିଲେ ବୋଲି ସେ ନିଜ ଆତ୍ମଜୀବନୀରେ ଲେଖିଛନ୍ତି । ଆଉ ଏଭଳି କୌଣସି ପ୍ରସଙ୍ଗ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇନଥିଲା ବୋଲି ପ୍ରଣବ ଲେଖିଛନ୍ତି ।

ଦ୍ୱିତୀୟ ଥର ପାଇଁ ପ୍ରଣବଙ୍କ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ସୃଷ୍ଟି ହୋଇଥିଲା । କିନ୍ତୁ ସେତେବେଳେ ସୋନିଆ ଗାନ୍ଧି ରାଜନୈତିକ ବନବାସରେ ଥିବା ନରସିଂହା ରାଓଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିଥିଲେ । କୁହାଯାଏ ଯେ, ସୋନିଆ ପ୍ରଣବଙ୍କୁ ସଂପୂର୍ଣ୍ଣ ବିଶ୍ୱାସ କରୁନଥିଲେ । ତେଣୁ ସେ ନରସିଂହ ରାଓଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରିଥିଲେ । ଅବଶ୍ୟ ଏହା ଅଲଗା କଥା ଯେ, ପରେ ଗାନ୍ଧି ପରିବାର ଓ ରାଓଙ୍କ ମଧ୍ୟରେ ସଂପର୍କ ତିକ୍ତ ହୋଇପଡିଥିଲା । ଏତେ ତିକ୍ତ ଯେ, ୨୦୦୪ରେ ନରସିଂହଙ୍କ ଦେହାନ୍ତ ପରେ ତାଙ୍କ ମରଶରୀରକୁ କଂଗ୍ରେସ ମୁଖ୍ୟାଳୟ ମଧ୍ୟକୁ ନିଆଯାଇନଥିଲା । କୁହାଯାଏ ମୁଖ୍ୟାଳୟରେ ସେ ସମୟରେ ତାଲା ପକାଇ ଦିଆଯାଇଥିଲା ।

ତୃତୀୟ ଥର ପାଇଁ ୨୦୦୪ରେ ମଧ୍ୟ ପ୍ରଣବ ପ୍ରଧାନମନ୍ତ୍ରୀ ହୋଇ ପାରିନଥିଲେ । ପ୍ରଣବଙ୍କ ସ୍ଥାନରେ ସୋନିଆ ଅନ୍ତର ଆତ୍ମାର ସ୍ୱର ଶୁଣି କ୍ଷମତାକୁ ତ୍ୟାଗ କରିବା ସହ ମନମୋହନଙ୍କୁ ବାଛିଥିଲେ । ସୋନିଆ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ କରି କୌଣସି ରିସ୍କ ନେବାକୁ ଚାହୁଁନଥିଲେ ବୋଲି କୁହାଯାଏ । ଏମିତି ଦୀର୍ଘ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରଣବ ପିଏମ୍‌ ଇନ୍‌ ୱେଟିଂରେ ରହି ଶେଷରେ ରାୟସିନା ହିଲକୁ ୨୦୧୨ରେ ପ୍ରବେଶ କରିଥିଲେ, ଦେଶର ପ୍ରଥମ ନାଗରିକ ଭାବେ ।

Leave A Reply

Your email address will not be published.