୧୯ ବର୍ଷୀୟା ନର୍ସିଂ ଛାତ୍ରୀଙ୍କୁ ବେଙ୍ଗାଲୁରୁରେ ଦୁଷ୍କର୍ମ ପରେ ହତ୍ୟା

ଗୌହାଟୀ : ଆସାମର ଜଣେ ୧୯ ବର୍ଷୀୟା ନର୍ସିଂ ଛାତ୍ରୀଙ୍କୁ ବୁଧବାର ବେଙ୍ଗାଲୁରୁରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଛାତ୍ରୀଙ୍କୁ ମେଡିକାଲ୍‌ ନେଇଥିବା ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଧରାଯାଉଥିବା ଅନିସୁର ରେହମାନ ନାମକ ଜଣେ ୨୧ ବର୍ଷୀୟ ଯୁବକକୁ ପୁଲିସ ଗିରଫ କରିଛି। ସଂପୃକ୍ତ ଅଭିଯୁକ୍ତକୁ ପୀଡ଼ିତା ଜଣକ ଜାଣିଥିଲେ ଏବଂ ସେ ତାଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନାକୁ ହିଁ ନେଇଥିବା ଜଣାଯାଇଛି। ପୁଲିସ ସୂଚନାନୁଯାୟୀ, ଛାତ୍ରୀ ଜଣକ ବେଙ୍ଗାଲୁରୁ ସ୍ଥିତ ଇଷ୍ଟ୍‌ ୱେଷ୍ଟ୍‌ କଲେଜରେ ଯୋଗଦେଇଥିଲେ ଏବଂ ସେ ଗତ ସୋମବାର ଆସାମରୁ ଆସି ବେଙ୍ଗାଲୁରୁରେ ପହଞ୍ଚିଥିଲେ। ଅଭିଯୁକ୍ତ ଅନସୁର ମାଧ୍ୟମରେ ସେ ଏହି କଲେଜରେ ନାମ ଲେଖାଇଥିବା ଜଣାଯାଇଛି। ଆସାମର ବାସିନ୍ଦା ଅନସୁର ମଧ୍ୟ ଉକ୍ତ କଲେଜର ଛାତ୍ର ଥିବା ପୁଲିସ କହିଛି। ଛାତ୍ରୀ ରହୁଥିବା ଭଡ଼ାଘର ମାଲିକଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ଏପରିକି ଅପରାଧରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ମଧ୍ୟ ପୁଲିସ ଅନୁମାନ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଲା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Leave A Reply

Your email address will not be published.