୨୬/୧୧ ମୁମ୍ବାଇ ଆକ୍ରମଣରେ ଶହିଦ ମେଜର ସନ୍ଦୀପ ଉନିକ୍ରିଷ୍ଣନଙ୍କ ଆସିବ ବାୟୋପିକ୍

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ସ୍ମୃତି ଏବେ ବି ଛାତି ଥରାଇଦିଏ। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ସେନା ଦେଶକୁ ସୁରକ୍ଷା ଦେବାବେଳେ ନିଜକୁ ବଳିଦାନ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମେଜର ସନ୍ଦୀପ ଉନିକ୍ରିଷ୍ଣନ୍। ଏବେ ତାଙ୍କ ଜୀବନ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ଆସୁଛି, ଯାହାର ନାମ ‘ମେଜର’। ଏହି ଫିଲ୍ମରେ ଦକ୍ଷିଣ ଅଭିନେତା ଅଦିବୀ ଶେଷ ମେଜର ସନ୍ଦୀପ ଉନିକ୍ରିଷ୍ଣନଙ୍କ ଭୂମିକାରେ ନଜର ଆସିବେ। ନିର୍ମାତା ଆଜି ସକାଳେ  ଏହାର ଟିଜର୍ ପୋଷ୍ଟର୍ ମଧ୍ୟ ରିଲିଜ୍ କରିଦେଇଛନ୍ତି । ଏଥିସହିତ ଅଦିବୀଙ୍କ ଲୁକ୍ ବି ରିଭିଲ୍ ହୋଇଯାଇଛି। ଜଣାଇ ଦେବାକୁ ଚାହୁଁ ଯେ ଏହି ଫିଲ୍ମର ନିର୍ମାତା ହେଉଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ।ମୁମ୍ବାଇ ଆକ୍ରମଣର ଏହି ଚଳଚ୍ଚିତ୍ରରେ ମେଜର ସନ୍ଦୀପଙ୍କ ଜୀବନର ଘଟଣାଗୁଡିକ ଚିତ୍ରିଣ କରାଯିବ ଯାହା ବିଷୟରେ ପ୍ରାୟ କେହି ଜାଣଇ ନାହାଁନ୍ତି। ଫିଲ୍ମର ଏକମାତ୍ର ଲକ୍ଷ୍ୟ ହେଉଛି ନିଜ ଜୀବନକୁ ବଳିଦାନ ଦେଇଥିବା ବାହାଦୁର ମେଜର ସନ୍ଦୀପଙ୍କ କାହାଣୀ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ଏବଂ ତାଙ୍କୁ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଦେବା। ଏହାପୂର୍ବରୁ ଅଦିବୀ ଶେଷ ମେଜର ସନ୍ଦୀପ ଉନିକ୍ରିଷ୍ଣନଙ୍କ ପାଇଁ ଏକ ଭାବପ୍ରବଣ ଭିଡିଓ ଶେଆର୍ କରିଥିଲେ। ସେ କହିଥିଲେ, ‘ମୁଁ କେବଳ ଏହା କହିପାରେ ଯେ ସେ ପ୍ରଥମ ମୁହୂର୍ତ୍ତରୁ ମୋ ଜୀବନକୁ ପ୍ରଭାବିତ କରିଛନ୍ତି। ଏହା ୨୦୦୮ର ଘଟଣା, ମୋର ମନେ ଅଛି, ଯେତେବେଳେ ମୁଁ ତାଙ୍କ ଚିତ୍ର ଦେଖିଲି, ସମସ୍ତ ଚ୍ୟାନେଲରେ କେବଳ ତାଙ୍କର ଚେହେରା ଦେଖିବାକୁ ମିଳଉଥିଲା। ମୁଁ ଭାବୁଥିଲି ଏହି ବ୍ୟକ୍ତି କିଏ? ତାଙ୍କ ଆଖିରେ ଏକ ଅନନ୍ୟ ଚଞ୍ଚଳତା ଏବଂ ଓଠରେ ହାଲକା ହସ ଥିଲା। ସେ ମୋର ପରିବାରର ଜଣେ ସଦସ୍ୟ ପରି ଦେଖାଯାଉଥିଲେ। ତା’ପରେ ମୁଁ ଜାଣିଲି ଯେ ସେ ହେଉଛନ୍ତି ମେଜର ସନ୍ଦୀପ ଉନିକ୍ରିଷ୍ଣନ୍। ମୁଁ ତାଙ୍କ ଆଇକନିକ୍ ପାସପୋର୍ଟ ଫଟୋକୁ ଦେଖି ଅଟକିଗଲି ।’

ସୂଚନାୋଗ୍ୟ, ଏହି ଫିଲ୍ମଟିକୁ ଶଶି କିରଣ ଟିକ୍କା ନିର୍ଦ୍ଦେଶନା ଦେଉଛନ୍ତି। ଅଦିବୀଙ୍କ ବ୍ୟତୀତ ଫିଲ୍ମରେ ଶୋଭିତା ଧୁଲିପାଲା ଓ ସବ ମାଞ୍ଜ୍ରେକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ମେଜର ସନ୍ଦୀପ ଉନିକ୍ରିଷ୍ଣନଙ୍କ ଉପରେ ଆଧାରିତ ଏହି ବାୟୋପିକଟି ଆସନ୍ତା ବର୍ଷ ରିଲିଜ ହୋଇପାରେ।

Leave A Reply

Your email address will not be published.