ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ହେଲେ ଦିଲ୍ଲୀ-ନୋଏଡା ଚିଲ୍ଲା ବର୍ଡରରେ ବସିଥିବା ଆନ୍ଦୋଳନରତ ଚାଷୀ ମାନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଲୋଚନା କରିବା ପରେ ଶନିବାର ଦିନ ସେମାନେ ଧାରଣାରୁ ଓହରିଥିଲେ ।
ଯାହା ଫଳରେ ଦୀର୍ଘ ୧୨ ଦିନ ହେବ ବନ୍ଦ ଥିବା ଦିଲ୍ଲୀ-ନୋଏଡା ଚିଲ୍ଲା ବର୍ଡର ଖୋଲିଛି । ଯେଉଁଥିପାଇଁ ଜନସାଧାରଣ ମାନଙ୍କୁ ଯାତାୟାତରେ ଆଉ ଅସୁବିଧା ହେବନାହିଁ ।
ସୂଚନା ଅନୁଯାୟୀ କୃଷକଙ୍କ ୫ ଜଣିଆ ଟିମ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନରେ ଭେଟିଥିଲେ। ବୈଠକରେ କୃଷି ମନ୍ତ୍ରୀ ଉପସ୍ଥିତ ରହିଥିବା ବେଳେ ସେମାନେ ମନ୍ତ୍ରୀଙ୍କ ଆଗରେ ୧୮ ସୁତ୍ରୀ ଦାବି ରଖିଥିଲେ ।
ଏସମ୍ପର୍କରେ ଜଣେ କୃଷକ କହିଛନ୍ତି ଯେ ଆମ ନେତାମାନେ ପ୍ରତିରକ୍ଷା ଓ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର ଆମ ଦାବି ପୂରଣ ହେବ ବୋଲି ଆଶ୍ୱାସନା ଦେଇଛନ୍ତି ।