ଦେଶର ପ୍ରଥମ କରୋନା ପରୀକ୍ଷଣ କିଟକୁ ଆଇସିଏମଆର ଅନୁମତି

୨୦ ମିନିଟରେ ମିଳିବ ରେଜଲ୍ଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ଭିତରେ ଆସିଛି ଆଶ୍ୱସ୍ତକର ଖବର । ଦିଲ୍ଲୀର ଏକ ଫାର୍ମାସିଟ୍ୟୁକାଲ କମ୍ପାନୀ ଭାରତର ପ୍ରଥମ ରାପିଡ୍‌ ଟେଷ୍ଟ କିଟ୍‌ ପ୍ରସ୍ତୁତ କରିଛି । କୁହାଯାଉଛି ଏହି କିଟ୍‌ ଜରିଆରେ ପ୍ରାୟ ୨୦ ମିନିଟ୍‌ ମଧ୍ୟରେ ରେଜଲ୍ଟ ମିଳିବ । ଅର୍ଥାତ୍‌ ମାତ୍ର ୨୦ ମିନିଟରେ ଜାଣି ହେବ ଆପଣ କରୋନା ପଜିଟିଭ୍‌ ନା ନେଗେଟିଭ୍‌ । ଆଇସିଏମ୍‌ଆର ଏହି କରୋନା ପରୀକ୍ଷଣ କିଟକୁ ଅନୁମତି ପ୍ରଦାନ କରିଛି । କିଟର ମୂଲ୍ୟ ପାଖାପାଖି ୨୦୦ ଟଙ୍କା ଥିବା କୁହାଯାଉଛି ।

ଭାରତର ପ୍ରଥମ ପଏଂଟ-ଅଫ୍‌-କେୟାର (ପିଓସି) ରାପିଡ୍‌ ଟେଷ୍ଟ କିଟକୁ ମେଡିକେୟାର ପ୍ରସ୍ତୁତ କରିଛି । ଏହି କମ୍ପାନୀ ଲାବରେ ଗର୍ଭାବସ୍ଥା ଯାଂଚକିଟ୍‌, ଏଚଆଇଭି ଏଡ୍‌ସ, ମାଲେରିଆ ଓ ଡେଙ୍ଗୁ ପାଇଁ ପିଓସିି ଡାଏଗ୍‌ନୋଷ୍ଟିକ କିଟ୍‌ ମଧ୍ୟ ତିଆରି କରିଥାଏ । ମେଡିକେୟାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆନନ୍ଦ ଶେଖରୀ କହିଛନ୍ତି- ପିଓସିି କିଟ୍‌ ଜରିଆରେ ୨୦ ମିନିଟ୍‌ ମଧ୍ୟରେ ଫଳାଫଳ ଜାଣି ହେବ ।

ଏହି କିଟରେ ଟେଷ୍ଟ ପାଇଁ ଆଙ୍ଗୁଠିରୁ ରକ୍ତ ନମୁନା ନିଆଯିବ. ସେପ୍‌ଟେମ୍ବର ସୁଦ୍ଧା କମ୍ପାନୀ ୨ ଲକ୍ଷ କିଟ୍‌ ଲଂଚ କରିବା ପାଇଁ ଯୋଜନା କରିଛି । ଭାରତରେ ଏବେ ଆଂଟିବଡି ଯାଂଚ ପାଇଁ ଷ୍ଟାଣ୍ଡାର୍ଡ କ୍ୟୁ କୋଭିଡ-୧୯ ଏଜି ର ବ୍ୟବହାର କରାଯାଉଛି । ସାଧାରଣତଃ ଏହାକୁ ଆରଟି-ପିସିଆର ଟେଷ୍ଟ ଭାବେ ଜଣାଯାଇଥାଏ ।

ଏହାର ପରୀକ୍ଷଣ ରେଜଲ୍ଟ ଗୋଟିଏ ଦିନ ଭିତରେ ଆସିଥାଏ । ଏହି କିଟ୍‌ ଶରୀର ମଧ୍ୟରେ ଥିବା ଆଂଟିବଡସନ୍ଧାନ କରେ । ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଆଂଟିବଡି ସୃଷ୍ଟି ହୋଇଥାଏ । ଯଦି ଶରୀରରେ ଆଂଟିବଡି ମିଳେ ତେବେ ସେହି ବ୍ୟକ୍ତି ଏବେ କରୋନାରେ ସଂକ୍ରମିତ ଅଥବା ପୂର୍ବରୁ ସଂକ୍ରମିତ ହୋଇ ସାରିଛନ୍ତି ବୋଲି ଧରାଯାଏ ।

Leave A Reply

Your email address will not be published.