ବେଜିଂ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜିତ ହାସଲ କରିଥିବା ଜୋ ବାଇଡେନ୍ ଓ ଡୋନଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ମଧ୍ୟରେ ୟୁଏସ୍ ଏୟାରଫୋର୍ସ ପୂର୍ବ ଏସିଆରେ ନିଜର ମିସନ୍ ଜାରି ରଖିଛି। ବିସ୍ତାରବାଦୀ ଚୀନ ବିଶ୍ବକୁ ନାଲି ଆଖି ଦେଖାଇବାକୁ ଯୋଜନା କରୁଥିବା ବେଳେ ଆମେରିକା କିନ୍ତୁ ଡ୍ରାଗନ୍ ଉପରେ ଭାରି ପଡ଼ୁଛି ।ଚୀନ ନୈସେନା ଅଭ୍ୟାସ୍ ଜାରି ରଖିଥିବା ବେଳେ ଆମେରିକାର ଦୁଇ ଦୂରଗାମୀ ବୋମାବର୍ଷୀ ଜେଟ୍ ପଶି ଆସିଥିବା ଜଣାପଡ଼ିଛି। ଚୀନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ୍ ଜୋନ୍(ଏଡିଆଇଜେଡ୍) ଭିତରକୁ ୟୁଏସ୍ ଜେଟ୍ ପ୍ରବେଶ କରିଥିବା ନେଇ ଏୟାରକ୍ରାଫ୍ଟ ସ୍ପଟସ୍ ପକ୍ଷରୁ ସୂଚନା ମିଳିଛି।ପ୍ଲେନ୍ ଟ୍ରାକର ଏୟାରକ୍ରାଫ୍ଟ ସ୍ପଟ୍ସ୍ ଟ୍ବିଟ୍ କରି ଜଣାଇଛି ଯେ, ଦୁଇଟି ୟୁଏସ୍ଏ ଏଫ୍ ବି-୧ବି ବମର(ବୋମାବର୍ଷୀ) ଚୀନର ଏଡିଆଇଜେଡ୍ ମଧ୍ୟକୁ ପ୍ରବେଶ କରିଥିଲା। ବି-୧ବି ସବୁଠୁ ବଡ଼ ବୋମାବର୍ଷୀ ଜେଟ୍। ଯାହାକି ଫାଇଟର ପ୍ଲେନ୍ କିମ୍ବା ସ୍ପାଏ ପ୍ଲେନ୍ରୁ ନିକ୍ଷେପ କରାଯାଏ। ତେବେ ନିଜର ମିଶନ୍ ବେଳେ ଆମେରିକା ଏୟାରଫୋର୍ସ ଏହାକୁ ଚୀନ ଉପକୂଳ ଦେଇ ଛାଡ଼ିଥିବା ଜଣାପଡ଼ିଛି।ସ୍ପାଏ ମିସନ୍ରେ ଏଭଳି ଏୟାରକ୍ରାଫ୍ଟର ବ୍ୟବହାର କରାଯାଉଥିବା ନଜିର ନାହିଁ। ଯାହାକି ଦର୍ଶାଉଛି ଆମେରିକା ଚୀନକୁ ସତର୍କବାଣୀ ଦେଇଛି। ତେବେ ବୋମାବର୍ଷୀ ଜେଟ୍ ଚୀନର ଏଡିଆଇଜେଡ୍ ସୀମାରେ ସାମାନ୍ୟ ପ୍ରବେଶ କରିଥିବା ଏୟାରକ୍ରାଫ୍ଟ ସ୍ପଟ୍ସ୍ର ଟ୍ବିଟ୍ରୁ ଜାଣିବାକୁ ମିଳିଛି।