ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମିଳିଥିବା ପରାଜୟ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ତତଃ ଶେଷରେ ତାଙ୍କର ପରାଜୟ ହୋଇଥିବା ସ୍ଵୀକାର କରିଛନ୍ତି। ଟ୍ରମ୍ପ ବାଇଡେନ ବିଜୟୀ ହୋଇଥିବା ମାନିଥିଲେ ମଧ୍ୟ ନିର୍ବାଚନରେ ଅନିୟମିତତା ହୋଇଥିବା କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପରେ ପ୍ରଥମ ଥର ଲୋକଙ୍କ ସାମ୍ନାକୁ ଆସିଥିବା ଟ୍ରମ୍ପ ନିର୍ବାଚନରେ ଅନିୟମିତତା ଓ ହେରଫର ହୋଇଥିବା ଆରୋପ ଲଗାଇଛନ୍ତି।
ସେ ଟ୍ଵିଟ୍ କରିଛନ୍ତି ଯେ, ବାଇଡେନ ନିର୍ବାଚନ ଜିତିଛନ୍ତି ମାତ୍ର ନିର୍ବାଚନରେ ହେରଫେର ହୋଇଛି। ନିର୍ବାଚନ ସମୟରେ କୌଣସି କର୍ମକର୍ତ୍ତା କିମ୍ବା ପର୍ଯ୍ୟବେକ୍ଷକଙ୍କୁ ସେଠାରେ ରହିବାକୁ ଦିଆଯାଇନଥିଲା। ସେ ଡମିନିୟମ ନାମକ ଏକ କମ୍ପାନୀ ଏମିତି କାମ କରିଥିବା ଅଭିଯୋଗ କରିଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି, ବାଇଡେନ୍ ନିଶ୍ଚୟ ଜିତିଛନ୍ତି ମାତ୍ର ଏହା ଫେକ୍ ମିଡିଆ ନଜରରେ।
ସେ ଟ୍ଵିଟ୍ରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି, ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଆହୁରି ଲମ୍ବା ଲଢେଇ କରିବାର ଅଛି। ସେ ନିର୍ବାଚନକୁ ନେଇ ଆଇନଗତ ଲଢେଇ କଥା ଉଲ୍ଲେଖ କରିଛନ୍ତି।
ଉଲ୍ଲେଖନୀୟ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ତୃତୀୟ ପ୍ରୟାସରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ଏହା ପୂର୍ବରୁ ସେ ଦୁଇ ଥର ହ୍ଵାଇଟ୍ ହାଉସ୍ ପାଇଁ ନିର୍ବାଚନ ଲଢିଥିଲେ। ଏଥର ସେ କଡା ଟକ୍କକରେ ଟ୍ରମ୍ପଙ୍କୁ ମାତ୍ ଦେଇଛନ୍ତି ଏବଂ ଆମେରିକାର ୪୬ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।
ଅନ୍ୟପଟେ ଶନିବାର ରାଜଧାନୀ ଓ୍ଵାଶିଂଟନ ଡିସିରେ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ସଡକକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରି ନାରାବାଜି କରିଥିଲେ। ସମର୍ଥକଙ୍କ ସହିତ ପୁଲିସର ସଂଘର୍ଷ ମଧ୍ୟ ହୋଇଥିଲା। ଟ୍ରମ୍ପଙ୍କ ସମର୍ଥକ ଅଭିଯୋଗ କରିଛନ୍ତି, ପେନସିଲଭେନିଆ, ନେଭାଡା ପରି ସ୍ଥାନରେ ଭୋଟ୍ରେ ହେରଫେର ହୋଇଛି। ଜନମତ ହଡପ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।