୨୨ ବର୍ଷ ପରେ ଆମେରିକା ନେଲା ପ୍ରତିଶୋଧ, ଇରାନରେ ଅଲକଏଦା ନମ୍ବର ଦୁଇ ନିହତ

ୱାସିଂଟନ: ଆମେରିକା ତା’ର ଶତ୍ରୁଙ୍କୁ ଭୁଲେନା । ଆମେରିକା ସେମାନଙ୍କୁ ଖୋଜି ବାହାର କରେ । ଏହି ଦାବିକୁ ଆମେରିକା ପୁଣିଥରେ ସତ ସାବ୍ୟସ୍ତ କରିଛି । ଇରାନରେ ଲୁଚିଥିବା ଅଲକଏଦାର ନମ୍ବର ଦୁଇ ଆତଙ୍କବାଦୀଙ୍କୁ ଇରାନରେ ଆମେରିକା ହତ୍ୟା କରିଛି । ଅଗଷ୍ଟ ମାସରେ ଏହି ଘଟଣା ଘଟିଥିଲେ ମଧ୍ୟ ଏବେ ସାମ୍ନାକୁ ଆସିଛି । ତେବେ ଓସମା ବିନ୍ ଲାଡେନ ପରେ ଅଲକଏଦାର ଦୁଇ ନମ୍ବର ଆତଙ୍କବାଦୀକୁ ଆମେରିକା ଏଜେଣ୍ଟ୍ ହତ୍ୟା କରି ନାହାନ୍ତି । ଆମେରିକା ପାଇଁ ଏହି କାମ କରିଥିଲା ଇସ୍ରାଏଲ । ଇସ୍ରାଏଲି ଗୁଇନ୍ଦା ଏଜେନ୍ସୀ ମୋସାଦର ଏଜେଣ୍ଟ ଅଗଷ୍ଟ ମାସରେ ବିଚ୍ ରାସ୍ତାରେ ଏହି ଆତଙ୍କବାଦୀକୁ ହତ୍ୟା କରିଥିଲେ । ସେହି ଆକ୍ରମଣରେ ଲାଡେନର ବୋହୂ ମଧ୍ୟ ପ୍ରାଣ ହରାଇଥିଲା ।

୧୯୯୮ରେ କେନିଆ ଓ ତାଞ୍ଜାନିଆର ଆମେରିକା ଦୂତାବାସ ଉପରେ ଲାଡେନ ଆଦେଶରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୨୪ ଜଣ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ପଛରେ ୫୮ ବର୍ଷୀୟ ଅବୁ ମହମ୍ମଦ ମସତ୍ରିର ହାତ ଥିଲା । ଆମେରିକା ଅବୁକୁ ଗଲା ୨୨ ବର୍ଷ ଧରି ଜୀବିତ କିମ୍ବା ମୃତ ଖୋଜୁଥିଲା । ଅବୁକୁ ଧରାଇ ଦେଲେ ଦେଢ କୋଟି ଡଲାର ପୁରସ୍କାର ଦିଆଯିବ ବୋଲି ଏଫବିଆଇ ଘୋଷଣା କରିଥିଲା । ଏବେ ମିଳୁଥିବ ଖବର ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୭ ତାରିଖ ଦିନ ତେହେରାନ ରାସ୍ତାରେ ହତ୍ୟା କରାଯାଇଥିଲା । ସେଦିନ ରାତିରେ ଆବୁ ନିଜ ଝିଅ (ଲାଡେନ ପୁଅ ହାମଜାକୁ ବିବାହ କରିଥିଲା) ସହ କାରରେ ଯାଉଥିବା ବେଳେ ମୋସାଦର ଦୁଇ ଜଣ ଏଜେଣ୍ଟ୍ ତାଙ୍କ ଉପରେ ଆକ୍ରମଣ କରିଥିଲେ । ସାଇଲେନ୍ସର ଲଗାଯାଇଥିବା ବନ୍ଧୁକରୁ ଗୁଳି ମରାଯାଇଥିଲା ।

ଅଗଷ୍ଟ ମାସରେ ଏହି ହତ୍ୟା ହୋଇଥିଲେ ମଧ୍ୟ ଏଯାଏଁ ନା ଆମେରିକା ନା ଇରାନ ନା ଇସ୍ରାଏଲ କେହି ମଧ୍ୟ ଏନେଇ କିଛି କହିନାହାନ୍ତି । ଅଗଷ୍ଟ ମାସରେ ଇରାନ ଖବର କାଗଜରେ ଏହି ହତ୍ୟା ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ସେଥିରେ ମୃତ ବ୍ୟକ୍ତିଙ୍କ ନାମ ହବିବ ଦାଉଦ ଓ ମହିଳାଙ୍କ ନାମ ମରିୟମ ବୋଲି ଉଲ୍ଲେଖ ଥିଲା । ହବିବ୍ ଲେବନାନର ଇତିହାସ ଅଧ୍ୟାପକ ବୋଲି ଇରାନ କହିଥିଲା । ମୋସାଦ ଏଜେଣ୍ଟ୍ ଯେଉଁ ଢଙ୍ଗରେ ଏହି ଅପରେସନକୁ ପୁରା କରିଥିଲେ ତାହା ଇରାନୀ ସୁରକ୍ଷା ଏଜେନ୍ସୀଙ୍କ ଇମେଜ ପାଇଁ କ୍ଷତିକାରକ ହେବ ଏହି ଭୟରେ ଇରାନ ଖବରକୁ ଚାପି ଦେଇଥିବା ନ୍ୟୁୟର୍କ ଟାଇମ୍ସ ଦାବି କରୁଛି ।

Leave A Reply

Your email address will not be published.