ନୂଆଦିଲ୍ଲୀ : ଆମେରିକାର ହ୍ବାଇଟ୍ ହାଉସ୍ କିଏ ଦଖଲ କରିବ ତାହାକୁ ବିଶ୍ବବାସୀ ଉତ୍କଣ୍ଠାର ସହ ଚାହିଁ ରହିଥିବା ବେଳେ ପାକିସ୍ତାନ କେବଳ ଡେମୋକ୍ରାଟିକ୍ ଦଳ ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ବିଜୟକୁ ଅପେକ୍ଷା କରି ରହିଛି। କାରଣ ରିପବ୍ଲିକାନ୍ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଜିତିଲେ ପାକିସ୍ତାନ ଆହୁରି ଅସୁବିଧାରେ ପଡ଼ିବ ବୋଲି ଇମ୍ରାନ ଖାଁଙ୍କ ସରକାର ଆଶଙ୍କା କରୁଛି।
ଅପରପକ୍ଷେ, ବାଇଡେନ୍ ଜଣେ ପୁରୁଣା କୂଟନୀତିଜ୍ଞ ଏବଂ ପାକିସ୍ତାନ ସହ ତାଙ୍କର ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ରହି ଆସିଛି। ଏପରିକି ୨୦୦୮ ମସିହାରେ ପାକିସ୍ତାନ ସରକାର ବାଇଡେନ୍ଙ୍କୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ହାଲାଲ୍-ଇ-ପାକିସ୍ତାନ’ରେ ସମ୍ମାନିତ କରିଥିଲେ। ପାକିସ୍ତାନକୁ ଆମେରିକା ୧୫୦ କୋଟି ଡଲାରର ବେସାମରିକ ସହାୟତା ଯୋଗାଇବା ପଛରେ ବାଇଡେନ୍ ଓ ସିନେଟର ରିଚାର୍ଡ ଲୁଗାରଙ୍କ ହାତ ରହିଥିଲା। ଲୁଗାରଙ୍କୁ ମଧ୍ୟ ପାକିସ୍ତାନ ‘ହାଲାଲ୍-ଇ-ପାକିସ୍ତାନ’ ସମ୍ମାନ ପ୍ରଦାନ କରିଥିଲା। ଏଥିରୁ ବାଇଡେନ୍ଙ୍କ ପ୍ରତି ପାକିସ୍ତାନର ଆନୁଗତ୍ୟ ଏବଂ ପାକିସ୍ତାନ ପ୍ରତି ବାଇଡେନ୍ଙ୍କ ସଦିଚ୍ଛା ସହଜରେ ଅନୁମେୟ।