ଲଣ୍ଡନ : ମହାରାଣୀ ଜୀନ୍ଦନ କୌର। କୌଣସି ଏକ ସମୟରେ ମହାରାଣୀଙ୍କ ଆଭୂଷଣର ଅଂଶ ଥିବା ଚାନ୍ଦ ଟିକା ଲଣ୍ଡନରେ ନିଲାମ ହୋଇଛି। ଶିଖ ସାମ୍ରାଜ୍ୟର ମହାରାଜା ରଞ୍ଜିତ ସିଂହଙ୍କ ଶେଷ ରାଣୀ ଭାବେ ଜୀନ୍ଦନ କୌରଙ୍କୁ ଜଣାଯାଏ। ତେବେ ମହାରାଣୀଙ୍କ ପାଖରୁ ବଂଶାନୁକ୍ରମେ ତାଙ୍କ ନାତୁଣୀ ରାଜକୁମାରୀ ବାମ୍ବା ସୁଥରଲ୍ୟାଣ୍ଡକୁ ମିଳିଥିଲା ଏହି ଅଳଙ୍କାର। ଏହି ରତ୍ନ ଖଚିତ ଚାନ୍ଦ ଟିକାକୁ ଗତ ସପ୍ତାହରେ ବୋନହାମ୍ସ ଇସ୍ଲାମିକ ଓ ଇଣ୍ଡିଆନ୍ ଆର୍ଟ ସେଲ୍ସରେ ୬୨,୫୦୦ ପାଉଣ୍ଡ(ପାଖାପାଖି ୬୦ ଲକ୍ଷ)ରେ ନିଲାମୀ କରାଯାଇଛି। ଜୀନ୍ଦନ କୌର ମହାରାଜା ରଞ୍ଜିତ ସିଂହଙ୍କ ଏକମାତ୍ର ପତ୍ନୀ ଯିଏକି ମହାରାଜାଙ୍କ ଦେହାନ୍ତ ପରେ ବି ଜୀବିତ ଥିଲେ। ଇଂରେଜମାନଙ୍କ ସହ ଅସହଯୋଗ କରି ଶେଷରେ ମୁଣ୍ଡ ନୁଆଁଇଥିଲେ ଜୀନ୍ଦନ। ସେହି ସମୟରେ ଲାହୋରରେ ଥିବା ମହାରାଣୀଙ୍କୁ ୬୦୦ ଅଳଙ୍କାର ଇଂରେଜମାନେ ଲୁଟିନେଇଥିବା ବୋନହାମ୍ସ ପକ୍ଷରୁ ସୂଚନା ମିଳିଛି।

୧୮୪୮ରେ ନେପାଳ ଯିବା ପୂର୍ବରୁ କୌରଙ୍କୁ ବନ୍ଦୀ କରିଦିଆଯାଇଥିଲା। ନିଲାମୀ କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାଙ୍କର ଯେଉଁ ଆଭୂଷଣ ନିଲାମ ହୋଇଛି ତାହା ତାଙ୍କ ପୁଅ ଦିଲ୍ଳୀପ ସିଂହଙ୍କ ସହ ରହିବା ପାଇ ସମ୍ମତି ଜଣାଇବା ପରେ ବ୍ରିଟେନ୍ ଅଧିକାରୀଙ୍କ ଦ୍ବାରା ଫେରାଯାଇଥିବା ଅଳଙ୍କାର। ଏହାସହ ବିଭିନ୍ନ ଦୁର୍ଲଭ କଳାକୃତି ମଧ୍ୟ ନିଲାମ ହୋଇଛି। ଏହା ମଧ୍ୟରେ ଓ୍ବାଟରକଲର ସ୍ବର୍ଣ୍ଣ ମନ୍ଦିର ଓ ଅମୃତଓର ସହ ମଧ୍ୟ ସାମିଲ ରହିଛି।