ଫ୍ରାନ୍‌ସ ବିରୋଧୀ ଆଭିମୁଖ୍ୟ : ତୁର୍କୀ ଓ ପାକିସ୍ତାନକୁ ଝଟ୍‌କା ଦେଲା‌ ସାଉଦିଆରବ

ନୂଆଦିଲ୍ଲୀ : ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ଇସ୍‌ଲାମ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟକୁ ପାକିସ୍ତାନ ଓ ତୁର୍କୀ ତୀବ୍ର ବିରୋଧ କରିବା ସହ ଫ୍ରାନ୍‌ସ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଜଣାଇଛନ୍ତି। କିନ୍ତୁ ପ୍ରମୁଖ ଇସ୍‌ଲାମୀୟ ଦେଶ ସାଉଦିଆରବ ଫ୍ରାନ୍‌ସ ପ୍ରତି କୋହଳ ମନୋଭାବ ପୋଷଣ କରିବା ସହ ତୁର୍କୀ ଓ ପାକିସ୍ତାନ ବିରୋଧରେ ପଦକ୍ଷେପ ନେଇଥିବାରୁ ଏହି ଦୁଇ ରାଷ୍ଟ୍ରକୁ ବଡ଼ ଝଟ୍‌କା ଲାଗିଛି। ଫ୍ରାନ୍‌ସର ଚର୍ଚ୍ଚରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଓ ଶିକ୍ଷୟିତ୍ରୀଙ୍କ ମୁଣ୍ଡ କାଟ ଘଟଣାରେ ଫ୍ରାନ୍‌ସ ରାଷ୍ଟ୍ରପତି ମାକ୍ରନ୍‌ଙ୍କ କଠୋର ଆଭିମୁଖ୍ୟ ଜାରି ରହିଥିବା ବେଳେ ମୁସ୍‌ଲିମ୍‌ ରାଷ୍ଟ୍ରମାନେ ତାଙ୍କୁ ବିରୋଧ କରୁଛନ୍ତି।

ତୁର୍କୀ ରାଷ୍ଟ୍ରପତି ରେସିପ୍‌ ତାୟିପ ଏର୍ଡୋଗାନ୍‌ ଫ୍ରାନ୍‌ସ ରାଷ୍ଟ୍ରପତି ମାକ୍ରନଙ୍କୁ କଠୋର ନିନ୍ଦା କରିବା ସହ ଫ୍ରାନସର ରାଷ୍ଟ୍ରପତି ବାଟବଣା ହୋଇଗଲେଣି ବୋଲି କହିଥିଲେ। ଫ୍ରାନ୍‌ସ ସାମଗ୍ରୀ ବର୍ଜନ କରିବାକୁ ତୁର୍କୀ ରାଷ୍ଟ୍ରପତି ସମସ୍ତ ଇସ୍‌ଲାମିକ୍‌ ଦେଶମାନଙ୍କୁ ଆହ୍ବାନ ଜଣାଇଛନ୍ତି। ସେହିଭଳି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ମାକ୍ରନ୍‌ଙ୍କୁ ବିରୋଧ କରି ବୟାନ ଦେଇଥିଲେ। ମାକ୍ରନ୍‌ ଆତଙ୍କବାଦକୁ ଘୃଣା କରୁନାହାନ୍ତି ବରଂ ଇସ୍‌ଲାମକୁ ଘୃଣା କରୁଛନ୍ତି ବୋଲି ଇମ୍ରାନ୍‌ କହିଥିଲେ। ପାକିସ୍ତାନ ମଧ୍ୟ ଫ୍ରାନ୍‌ସ ସାମଗ୍ରୀକୁ ବର୍ଜନ କରିବାକୁ ଆହ୍ବାନ ଦେଇଛି। ତେବେ ଏଭଳି ସ୍ଥିତିରେ ପ୍ରମୁଖ ମୁସ୍‌ଲିମ ରାଷ୍ଟ୍ର ସାଉଦି ଆରବ ଫ୍ରାନ୍‌ସକୁ ବିରୋଧ ନ କରିବା ତୁର୍କୀ ଓ ପାକିସ୍ତାନ ପ୍ରତି ବଡ଼ ଝଟ୍‌କା ବୋଲି କୁହାଯାଉଛି। ତୁର୍କୀ ଫ୍ରାନ୍‌ସ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଦେଇଥିବାବେଳେ ସାଉଦିଆରବର ନାଗରିକମାନେ ତୁର୍କୀ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି।

Leave A Reply

Your email address will not be published.