ମୁମ୍ବାଇ : ଚର୍ଚ୍ଚିତ ଫିଲ୍ମ ଏଡିଟର ଏବଂ ପ୍ରଡ୍ୟୁସର ଅନିଲ ନାଇଡ଼ୁଙ୍କ ପରଲୋକ ହୋଇ ଯାଇଛି। ତାଙ୍କ ବନ୍ଧୁ ଏବଂ ନିକଟ ସମ୍ପର୍କୀୟ ସୋସିଆଲ୍ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଅନିଲ ନାଇଡ଼ୁ ବିଜ୍ଞାପନ ଦୁନିଆରେ ଦୀର୍ଘ ଦିନ ଯାଏଁ ରହିଛନ୍ତି ଏବଂ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପା’ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଲ’ ଏବଂ ‘ପ୍ୟାଡମ୍ୟାନ୍’ର ସହନିର୍ମାତା ମଧ୍ୟ ରହିଛନ୍ତି।

ଅନିଲ ନାଇଡ଼ୁଙ୍କ ଆକସ୍ମିକ ପରଲୋକ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୋକର ଲହରୀରେ ଭସାଇ ଦେଇଛି। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି। ଏବିଷୟରେ ତାଙ୍କ ବନ୍ଧୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେବାକୁ ଆରମ୍ଭ କରିବାରୁ ଏହି ସୂଚନା ସାମନାକୁ ଆସିଥିଲା। ଜି ଜିନ୍ଦଗୀ ଚ୍ୟାନେଲର ମୁଖ୍ୟ ଶୈଳଜା କେଜରିଓ୍ବାଲ୍ ଲେଖିଥିଲେ ଯେ ,‘ କିଛି କଥା ଅକୁହା ହିଁ ରହିଗଲା। ଏବେ କହୁଛି। ତୁମେ ସ୍ପେଶାଲ ଥିଲ। ମୁଁ ଜାଣେ ଯେ ତୁମେ ଆଖପାଖରେ ଅଛ। ସବୁବେଳ ଭଳି।’

କମର୍ସିଆଲ୍ ଫିଲ୍ମର ଦିଗ୍ଗଜ ବାଲକି ଏବଂ ତାଙ୍କ ପତ୍ନୀ ଗୌରୀ ସିନ୍ଦେ ଯେତେବେଳେ ନିଜ ପ୍ରଡକ୍ସନ ହାଉସ୍ ହୋପ୍ ପ୍ରଡକ୍ସନ୍ ଖୋଲିଥିଲେ ସେତେବେଳେ ସେ ନିଜ ସହ ଅନିଲ ନାଇଡ଼ୁଙ୍କୁ ମଧ୍ୟ ନେଇ ଆସିଥିଲେ। ଅନିଲ ନାଇଡ଼ୁ ନିଜ କ୍ୟାରିୟର ଭିଡିଓ ଏଡିଟର ଭାବେ ଆରମ୍ଭ କରିଥିଲେ ଏବଂ ଦେଶର ସବୁ ଚର୍ଚ୍ଚିତ ବିଜ୍ଞାପନ ଫିଲ୍ମକୁ ସେ ସମ୍ପାଦନ କରିଛନ୍ତି। ସେ ନିଜର ମଧ୍ୟ ପ୍ରଡକ୍ସନ ହାଉସ୍ ଖୋଲିଥିଲେ ଏବଂ ସ୍ବତନ୍ତ୍ର ଭାବେ ସବୁ ବିଜ୍ଞାପନ ଫିଲ୍ମର ନିର୍ଦେଶନା ଏବଂ ସମ୍ପାଦନା କରିଥିଲେ।
ଅନିଲ ନାଇଡ଼ୁଙ୍କ ପରଲୋକରେ ଫିଲ୍ମ ଜଗତର ସମସ୍ତ ହସ୍ତି ଶୋକ ପ୍ରକାଶ କରିଛନ୍ତି। ହୋପ୍ ପ୍ରଡକ୍ସନରେ ଅନିଲ ‘ଇଙ୍ଗଲିଶ ଭିଙ୍ଗଲିଶ’,‘ଶମିତାଭ’,‘ଡିୟର ଜିନ୍ଦଗୀ’,‘କି ଆଣ୍ଡ କା’,‘ପ୍ୟାଡମ୍ୟାନ୍’ ଏବଂ ‘ମିଶନ୍ ମଙ୍ଗଲ’ର କାମ ସୁଚାରୁ ରୂପେ ସମ୍ଭାଳିଥିଲେ।