ନୂଆଦିଲ୍ଲୀ : ଆମେରିକାରେ ଜଣେ ସ୍ବୟଂଭୁ ଗୁରୁଙ୍କୁ ନିଜ ଅନୁଗାମୀଙ୍କୁ ସେକ୍ସ ଗୁଲାମ କରି ରାକେଟ୍ ଚଲାଇବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆମେରିକୀୟ କୋର୍ଟ ଅଭିଯୁକ୍ତକୁ ୧୨୦ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି।
୬୦ବର୍ଷର ସ୍ବୟଂଭୁ ଗୁରୁ କେନେଥ ରେନେରଙ୍କୁ ସେଲ୍ଫ ହେଲ୍ପ ଗୃପ୍ ଆଳରେ ସେକ୍ସ ରାକଟେ୍ ଚଲାଇବା ଏବଂ ମହିଳାଙ୍କୁ ଜବରଦସ୍ତି କରିବା ଅଭିଯୋଗରେ କୋର୍ଟ ଏହି ଦଣ୍ଡ ଶୁଣାଇଛି। ଏବେ ତାକୁ ଆଜୀବନ ଜେଲରେ ରହିବାକୁ ହେବ। ଅଭିଯୁକ୍ତ କେନେଥ ରେନର Nxivm ନାମକ ସଙ୍ଗଠନ ଚଲାଉଥିଲା ଯାହା ଜରିଆରେ ସେ ଏହି କଳା ଧନ୍ଦା କରୁଥିଲା। ସୂଚନା ଅନୁଯାୟୀ ଏହି ସଙ୍ଗଠନ ଜରିଆରେ ରେନେର ଅମୀର ଏବଂ ପ୍ରଭାବଶାଳୀ ମହିଳାଙ୍କୁ ଫସାଉଥିଲା ଏବଂ ପରେ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲା। ଅଭିଯୁକ୍ତ କେନେଥ ରେନର ୫ଦିନର ସେଲ୍ଫ ହେଲ୍ପ କୋର୍ସ ପାଇଁ ନିଜ ଅନୁଗାମୀଙ୍କଠୁ ୫୦୦୦ଡଲାର ଆଦାୟ କରିଥିଲା। ସେ ନିଜର ଅଧିକାଂଶ ଭକ୍ତଙ୍କୁ ଆର୍ଥିକ ଏବଂ ଶାରିରୀକ ନିର୍ଯାତନା ଦେଉଥିଲା। ସେ ଲୋକଙ୍କୁ ନିଜ ଦ୍ବାରା ବନାଇଥିବା ନିୟମଗୁଡ଼ିକୁ ମାନିବା ପାଇଁ ବାଧ୍ୟ କରୁଥିଲା।

ଅଭିଯୋଗ ଅନୁସାରେ ସେ ନିଜ ଅନୁଗାମୀଙ୍କ ସହ ଚାକର ଭଳି ବ୍ୟବହାର କରୁଥିଲା। ଗୁପ୍ତ ସୂଚନା ଏବଂ ଅନ୍ତରଙ୍ଗ ଫଟୋ ଜରିଆରେ ଏପରି ଲୋକଙ୍କୁ ବ୍ଲାକମେଲ୍ କରାଯାଉଥିଲା ଏବଂ ତା’ପରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା।

କୋର୍ଟ ୨୦୧୯ମସିହାରେ ହିଁ କେନେଥକୁ ଏପରି ୭ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା। ତା’ ବିରୋଧରେ ସେକ୍ସ ରାକେଟ୍,ସେକ୍ସ ଟ୍ରାଫିକିଂ ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଦଣ୍ଡ ଶୁଣାଯାଇଛି।