ନୂଆଦିଲ୍ଲୀ: ସଙ୍କଟରେ ଥିବା କଂଗ୍ରେସର ସ୍ଥିତି ସମ୍ଭାଳିବାକୁ ଏବେ ନୂଆ ମଙ୍ଗୁଆଳ ଖୋଜା ଆରମ୍ଭ ହୋଇଛି । ଇତି ମଧ୍ୟରେ ଏଆଇସିସି କାର୍ୟ୍ୟକାରୀ ଅଧ୍ୟକ୍ଷା ଭାବେ ସୋନିଆ ଗାନ୍ଧି ଏକ ବର୍ଷ ପୂରଣ କରିଛନ୍ତି । ଆଗକୁ ପଦବୀ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସୋନିଆ ଦଳର କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି)କୁ ପତ୍ର ଲେଖି ଜଣାଇଛନ୍ତି । ସୋନିଆଙ୍କ ଚିଠି ପରେ କଂଗ୍ରେସର ମଙ୍ଗ କିଏ ଧରିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେତେକ ରାହୁଲଙ୍କୁ ପୁଣି ଥରେ ନେତା ଭାବେ ବାଛିବାକୁ କହୁଥିବା ବେଳେ ଆଉ କେତେକ ସଙ୍କଟମୋଚନ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କୁ ମଙ୍ଗ ଧରିବା ସପକ୍ଷରେ ରହିଛନ୍ତି । ତେବେ ରାହୁଲ ନା ପ୍ରିୟଙ୍କା କିଏ କଂଗ୍ରେସର ମଙ୍ଗ ଧରିବ? ପ୍ରିୟଙ୍କା ହେଉଛନ୍ତି ଇନ୍ଦିରା ଗାନ୍ଧିଙ୍କ ଆଉ ଏକ ରୂପ, ତେଣୁ ତାଙ୍କୁ ଦଳର ଦାୟିତ୍ୱ ଦେବାକୁ ବରିଷ୍ଠ ନେତାମାନେ ଦାବି କରୁଛନ୍ତି ।
ସୋନିଆଙ୍କ ପତ୍ରଟି ସାର୍ବଜନୀନ ହୋଇନଥିଲେ ହେଁ ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହେଲାଣି। ଗାନ୍ଧୀ ପରିବାରରୁ କେହି ନୂଆ ଅଧ୍ୟକ୍ଷ ହେବେନାହିଁ ବୋଲି ପ୍ରିୟଙ୍କା ଗାନ୍ଧୀ ପୂର୍ବରୁ ସ୍ପଷ୍ଟ କରିସାରିଥିବାରୁ ନୂଆ ମଙ୍ଗୁଆଳଙ୍କ ପାଇଁ କଳ୍ପନା ଜଳ୍ପନା ଚାଲିଲାଣି। ଇତିମଧ୍ୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସମେତ ଅନ୍ୟ କିଛି ନେତା ରାହୁଲ ପୁଣି ମଙ୍ଗ ଧରନ୍ତୁ ବୋଲି ମତ ରଖିଲେଣି। ତେବେ ବିବାହ ପରେ ପ୍ରିୟଙ୍କା ଏବେ ଗାନ୍ଧି ପରିବାର ଠାରୁ ଦୂରରେ ଥିବାରୁ ସେ ହିଁ କଂଗ୍ର୍ରେସର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ଦଳୀୟ କାର୍ୟ୍ୟ ଠିକରେ ଚାଲିନାହିଁ ବୋଲି ଅଭିଯୋଗ ଦର୍ଶାଇ ୨୦ରୁ ଅଧିକ ବରିଷ୍ଠ ନେତା ଦୁଇ ସପ୍ତାହ ତଳେ ସୋନିଆଙ୍କୁ ଚିଠି ଲେଖିଥିଲେ। ଗୁଲାମ ନବୀ ଆଜାଦ, ପି ଚିଦାମ୍ବରମ, ଆନନ୍ଦ ଶର୍ମା, କପିଲ ଶିବଲ, ଶଶୀ ଥରୁରଙ୍କ ପରି ନେତା ଏହି ଲିଷ୍ଟରେ ସାମିଲ। କଂଗ୍ରେସ ସଂଗଠନ ଓ କାର୍ୟ୍ୟପନ୍ଥାରେ ବଡ଼ ଧରଣର ପରିବର୍ତ୍ତନ ଓ ପୁନର୍ବିନ୍ୟାସ କରିବାକୁ ଏମାନେ ଦାବି କରିଥିଲେ। ଯାହାର ପ୍ରତ୍ୟୁତ୍ତରରେ ସୋନିଆ ନୂଆ ଅଧ୍ୟକ୍ଷ ବାଛିବାକୁ ଚିଠି ଲେଖିଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଲଢ଼ିଥିଲା। ହେଲେ ଲଜ୍ୟାଜନକ ପ୍ରଦର୍ଶନ ପରେ ରାହୁଲ ନୈତିକତା ଦୃଷ୍ଟିରେ ଇସ୍ତଫା ଦେଇଥିଲେ। ଏହାପରେ କମିଟି ସୁପାରିଶରେ ଅତ୍ୟନ୍ତ ଜଟିଳ ସ୍ଥିତିରେ ନିଜେ ସୋନିଆ ଦଳର ଭାର ସମ୍ଭାଳିଥିଲେ। ହେଲେ ଏଭଳି ଏକ ପରିସ୍ଥିତିରେ ପୁଣିଥରେ ନୂଆ ମୁହଁ ଖୋଜା ପଡିବା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।