ଦଶହରା ପରେ ୧୦୦ ଛୁଇଁପାରେ ପିଆଜ ଦର

ପୁଣେ: ଦଶହରା ପରେ ପିଆଜ ଦର କିଲୋପ୍ରତି ୧୦୦ ଟଙ୍କା ହୋଇପାରେ । ବର୍ତ୍ତମାନ ସମୟରେ ନୂଆ ପିଆଜ ଅମଳ ଯୋଗ୍ୟ ହୋଇନାହିଁ ଏବଂ ପୁରୁଣା ଷ୍ଟକ୍ ସରିଆସିଲାଣି । ଏହି କାରଣରୁ ଦେଶର ସବୁଠାରୁ ବଡ଼ ପିଆଜ ମଣ୍ଡି ନାସିକର ଲାସଲଗାଁରେ ପିଆଜର ଦର ପ୍ରତି କ୍ୱିଣ୍ଟାଲ ପିଛା ୭ ହଜାର ୮୦୦ରେ ପହଞ୍ଚିଛି । ଯଦି ଏହି ପିଆଜ ଦିଲ୍ଲୀ ଆସେ ଏହା ଉପରେ କିଲୋ ପ୍ରତି ୫ରୁ ୬ ଟଙ୍କାର ଭଡ଼ା ଲାଗିବ । ଅର୍ଥାତ ହୋଲସେଲର ନିକଟକୁ ପିଆଜ ଦର କିଲୋପ୍ରତି ୮୪ ଟଙ୍କା ହିସାବରେ ପହଞ୍ଚିବ । ଏବଂ ରିଟେଲରେ ଏହି ଦର ୧୦୦ ଅତିକ୍ରମଣ କରିପାରେ ।ଦେଶର ସବୁଠାରୁ ବଡ଼ ପିଆଜ ମଣ୍ଡି ଲାସଲଗାଁ ଏପିଏମ୍‌ସି ରେ କାଲି ପିଆଜର ଦର କ୍ୱିଣ୍ଟାଲ ପିଛା ୭୧୦୦ ରହିଥିଲା । ସେଠାରେ ସବୁଠାରୁ ଖରାପ କ୍ୱାଲିଟର ପିଆଜ ୧ କ୍ୱିଣ୍ଟାଲ ୧୯୦୧ ଦରରେ ବିକ୍ରି ହୋଇଥିଲା । ତେବେ ସବୁଠାରୁ ଭଲ ରକମର ପିଆଜ ୭ହଜାର ୮୦୦ ଦରରେ ବିକ୍ରି ହୋଇଥିଲା । ଏଥିସହିତ ପିଆଜ ଦର ଗତ ୧୦ ମାସର ଶୀର୍ଷତମ ସ୍ଥାନରେ ପହଞ୍ଚିଛି ।

ପିଆଜ ବ୍ୟବସାୟୀଙ୍କ କହିବାନୁଯାୟୀ, ନାସିକରୁ ଦିଲ୍ଲୀ ଯାଏଁ ଯଦି ପିଆଜକୁ ଟ୍ରକ ମାଧ୍ୟମରେ ନିଆଯାଏ, ତା’ହେଲେ ପିଆଜ ପ୍ରତି କିଲୋ ୫ରୁ ୬ ଟଙ୍କା ଅଧିକ ଖର୍ଚ୍ଚ ହୋଇଥାଏ । ଯଦି ନାସିକରୁ କେହିଁ ୭୮ ଟଙ୍କା ଦରରେ ପିଆଜ ନିଅନ୍ତି ତାହାର ଦର ହୋଲସେଲରଙ୍କ ନିକଟରେ ପହଞ୍ଚୁ ପହଞ୍ଚୁ ୮୪ ଟଙ୍କା ହୋଇଯିବ । ଏହା ଉପରେ କିଛି ମାର୍ଜିନ ରଖି ଏହାକୁ ପୁଣି ହୋଲସେଲର ବିକ୍ରି କରିବେ । ଏଣୁ ଖାଉଟିକୁ କିଣିଲା ବେଳକୁ ଦର ହାରାହାରି ଶହେ ଟଙ୍କା ପଡ଼ିପାରେ ।

Leave A Reply

Your email address will not be published.