ଗାନ୍ଧୀଙ୍କ ଚଷମା ବିକ୍ରି ହେଲା ୩ ଲକ୍ଷ ୪୦ ହଜାର ଆମେରିକୀୟ ଡଲାରରେ

ଭାରତୀୟ ମୁଦ୍ରାରେ ପ୍ରାୟ ଅଢେଇ କୋଟି ଟଙ୍କା

ଲଣ୍ଡନ: ଜାତିର ପିତା ମହାତ୍ମା ଗାନ୍ଧି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଗାମୀ ଯୋଦ୍ଧା ରୂପେ ପରିଚିତ । ସେ ଅହିଂସାକୁ ନିଜ ଅସ୍ତ୍ର ରୂପେ ଗ୍ରହଣ କରି ବ୍ରିଟିଶ ସାମ୍ରାଜ୍ୟକୁ ଧୂଳିସାତ କରି ଦେଇ ଭାରତରୁ ଯିବାକୁ ବାଧ୍ୟ କରିଥିଲେ । ଏହି କିଛି ଦିନ ହେଲା ଏକ ଖବର ପ୍ରଚାରିତ ହୋଇଥିଲା କି ଜାତିର ପିତା ମହାତ୍ମା ଗାନ୍ଧି ବ୍ୟବହାର କରୁଥିବା ଚଷମା ଲଣ୍ଡନରେ ଏକ ମ୍ୟୁଜିୟମରେ ସୁରକ୍ଷିତ ରହିଛି । ଏହାକୁ ଭାରତକୁ ଫେରାଇ ଆଣିବାକୁ ଉଦ୍ୟମ ହେଉଥିଲା । ମାତ୍ର ସୁନାରେ ନିର୍ମିତ ଗାନ୍ଧିଙ୍କ ଚଷମା ଲଣ୍ଡନରେ ନିଲାମ ହୋଇଛି । ନିଜର ପୁରୁଣା କିମ୍ବା ଅବ୍ୟବହୃତ ଜିନିଷକୁ ଆବଶ୍ୟକ କରୁଥିବା ଲୋକଙ୍କୁ ପ୍ରଦାନ କରିବା ଗାନ୍ଧୀଙ୍କର ଅଭ୍ୟାସ ଥିଲା । ଆଣ୍ଡ୍ରିୟୁ ଷ୍ଟୋଏ ନାମକ ଜଣେ ବ୍ୟକ୍ତି ଏହାକୁ ୩,୪୦,୦୦୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ଅଢେଇ କୋଟି ଟଙ୍କା)ରେ କିଣିଛନ୍ତି ।

ଇଷ୍ଟ ବ୍ରିଷ୍ଟଲ୍‌ ନାମକ ଏକ ବ୍ରିଟିଶ ନିଲାମ ସଂସ୍ଥା ଏହାକୁ ବିକ୍ରି କରିଛି । ଶୁକ୍ରବାର ଏ ବାବଦରେ ସଂସ୍ଥା ପକ୍ଷରୁ ଇନଷ୍ଟାଗ୍ରାମରେ ଉଲ୍ଲେଖ କରାଯାଇଥିଲା । ପୋଷ୍ଟରେ ଲେଖାଥିଲା ଯେ ଚାରି ସପ୍ତାହ ପୂର୍ବରୁ ଆମ ଚିଠି ବାକ୍ସରେ ଚଷମା ହଳକ ପାଇଥିଲୁ, ଜଣେ ଭଦ୍ରଲୋକଙ୍କ ମାମୁଁଙ୍କୁ ନିଜେ ଗାନ୍ଧୀ ଏହା ପ୍ରଦାନ କରିଥିଲେ । ଯାହାକୁ ସେ ନିଲାମ କରିବାକୁ ଚାହୁଁଛନ୍ତି । ତେବେ ଚଷମା ହଳକର ମୂଳ ଆକଳନ ମୂଲ୍ୟ ୧୫,୦୦୦ ୟୁରୋ ରହିଥିବା ବେଳେ ଏହା ୨,୮୮,୦୦୦ ୟୁରୋରେ ବିକ୍ରି ହୋଇଛି । ଯାହାକୁ ନେଇ ନିଲାମ ସଂସ୍ଥା ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.