ଲକ୍ଷ୍ୟଭେଦ କଲା ସୁପର୍ସୋନିକ୍ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ୍’କ୍ଷେପଣାସ୍ତ୍ର: ଯୁଦ୍ଧପୋତ ‘ଆଇଏନ୍ଏସ୍ ଚେନ୍ନାଇ’ରୁ ନିକ୍ଷେପ
ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ନୌସେନାର ଏକ ‘ଷ୍ଟିଲ୍ଥ୍ ଡେଷ୍ଟ୍ରୟର୍’ ବା ରାଡାର୍ରେ ଧରାପଡୁ ନ ଥିବା ଯୁଦ୍ଧପୋତରୁ ରବିବାର ଦିନ ‘ସୁପର୍ସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ୍’ର ସଫଳ ବ୍ୟବହାରିକ ପରୀକ୍ଷା କରାଯାଇଛି ବୋଲି ଏକ ବିବୃତିରେ ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) କହିଛି।ଆରବ ସାଗରରେ ଥିବା ଯୁଦ୍ଧପୋତ ‘ଆଇଏନ୍ଏସ୍ ଚେନ୍ନାଇ’ରୁ ନିକ୍ଷେପ କରାଯାଇଥିବା ଏହି କ୍ଷେପଣାସ୍ତ୍ରଟି ଉଚ୍ଚମାନର ତଥା ଅତ୍ୟନ୍ତ ଜଟିଳ ବୁଲାଣି ପଥ ସବୁ ଅତିକ୍ରମ କରି ନିର୍ଭୁଲ୍ ଭାବେ ଲକ୍ଷ୍ୟଭେଦ କରିଥିଲା।ଆକ୍ରମଣର ପ୍ରମୁଖ ଅସ୍ତ୍ର ଭାବେ ‘ବ୍ରହ୍ମୋସ୍’ ଜଳପୃଷ୍ଠ ଉପରୁ ଖୁବ୍ ଦୂରରେ ଥିବା ଲକ୍ଷ୍ୟସ୍ଥଳ ଭେଦ କରିପାରୁଥିବାରୁ ‘ଆଇଏନ୍ଏସ୍ ଚେନ୍ନାଇ’ର ଅପରାଜେୟତାକୁ ସୁନିଶ୍ଚିତ କରିବ ବୋଲି ‘ଡିଆର୍ଡିଓ’ କହିଛି। ଏହାଛଡ଼ା, ‘ବ୍ରହ୍ମୋସ୍’ର ସଫଳ ବ୍ୟବହାରିକ ପରୀକ୍ଷା ‘ଆଇଏନ୍ଏସ୍’ ଚେନ୍ନାଇକୁ ଭାରତୀୟ ନୌସେନାର ଆଉ ଏକ ମାରାତ୍ମକ ପ୍ଲାଟ୍ଫର୍ମରେ ପରିଣତ କରିବ ବୋଲି ମଧ୍ୟ ‘ଡିଆର୍ଡିଓ’ କହିଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଭାରତ ଓ ରୁଷ୍ ମିଳିତ ଭାବେ ‘ବ୍ରହ୍ମୋସ୍’ର ପରିକଳ୍ପନା, ବିକାଶ ଓ ନିର୍ମାଣ କରିଛନ୍ତି। ସେପ୍ଟେମ୍ବର ୩୦ ତାରିଖ ଦିନ ଓଡ଼ିଶାର ବାଲେଶ୍ବରରେ ଥିବା ଟେଷ୍ଟ୍ ରେଞ୍ଜ୍ରୁ ୪୦୦ କିଲୋମିଟର୍ ଦୂର ଲକ୍ଷ୍ୟଭେଦୀ ଏକ ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷା କରାଯାଇଥିଲା।ଆଜିର ସଫଳ ବ୍ୟବହାରିକ ପରୀକ୍ଷା ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଡିଆର୍ଡିଓ’, ‘ବ୍ରହ୍ମୋସ୍’ ଏବଂ ‘ଭାରତୀୟ ନୌସେନା’କୁ ଅଭିନନ୍ଦନ ଜଣାଇଛନ୍ତି।
ସଫଳତା ନିମନ୍ତେ ‘ଡିଡିଆର୍ ଆଣ୍ଡ୍ ଡି’ର ସଚିବ ତଥା ‘ଡିଆର୍ଡିଓ’ର ଅଧ୍ୟକ୍ଷ ଡକ୍ଟର୍ ଜି ସତୀଶ ରେଡ୍ଡୀ ମଧ୍ୟ ‘ଡିଆର୍ଡିଓ’ର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ, ‘ଭାରତୀୟ ନୌସେନା ଏବଂ ଶିଳ୍ପକୁ ଅଭିନନ୍ଦନ ଜଣାଇଛନ୍ତି। ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ର ବହୁ ଭାବରେ ଭାରତୀୟ ନୌସେନାର ସାମର୍ଥ୍ୟ ବଢ଼ାଇବ ବୋଲି ସେ କହିଛନ୍ତି।