ଚୀନର ଏହି ଯୁଦ୍ଧାଭ୍ୟାସ ପଛରେ ଉଦ୍ଦେଶ୍ୟ ହେଲା ଭାରତ ଉପରେ ମନୋବୈଜ୍ଞାନିକ ଚାପ ସୃଷ୍ଟି କରିବା
ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଶେଷ ହେବାର ନାଁ ନେଉନାହିଁ। ଚୀନ ସେନା ପିପୁଲ୍ସ ଲିବେରେସନ ଆର୍ମି ଭାରତୀୟ ସୀମାର ଅତି ନିକଟରେ ମିସାଇଲ ଚଲାଇଛି। ରକେଟ ଲଞ୍ଚର ଦ୍ୱାରା ଲଗାତାର ଗୋଳାବାରୁଦ ଛାଡିବା ପରେ ଲଦାଖ ପାହାଡ ଥରି ଉଠିଥିଲା। ଚୀନର ଏହି ଯୁଦ୍ଧାଭ୍ୟାସ ପଛରେ ଉଦ୍ଦେଶ୍ୟ ହେଲା ଭାରତ ଉପରେ ମନୋବୈଜ୍ଞାନିକ ଚାପ ସୃଷ୍ଟି କରିବା। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଦାବି କରିଛି ଯେ ଏହି ଅଭ୍ୟାସରେ ୯୦ ପ୍ରତିଶତ ନୂଆ ଅସ୍ତ୍ର ବ୍ୟବହାର କରାଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ସୀମାରେ ବହୁ ସଂଖ୍ୟାକ ଚୀନ ସେନା ନିୟୋଜିତ କରିବା, ଉଭୟ ପକ୍ଷରୁ ହୋଇଥିବା ଚୁକ୍ତିର ବିପରୀତ। ଯେତେବେଳେ ଉବଭୟ ଦେଶର ସେନା ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଉପସ୍ଥିତ ରୁହନ୍ତି ସେତେବେଳେ ତାହା ହିଁ ଘଟେ ଯାହା ଜୁନ ୧୫ ତାରିଖରେ ଘଟିଥିଲା। ଏହି ବ୍ୟବହାର କେବଳ କଥାବାର୍ତ୍ତାକୁ ପ୍ରଭାବିତ କରୁନି ବରଂ ୩୦ ବର୍ଷର ସମ୍ପର୍କକୁ ମଧ୍ୟ ପ୍ରଭାବିତ କରୁଛି ବୋଲି ଜୟଶଙ୍କର କହିଛନ୍ତି।

ଗ୍ଲୋବାଲ ଟାଇମ୍ସ କହିଛି ଯେ ପିଏଲଏର ତିବ୍ବତ ଥିଏଟର କମାଣ୍ଡ ତରଫରୁ ଅଭ୍ୟାସ କରାଯାଇଥିଲା। ଏହି ଯୁଦ୍ଧାଭ୍ୟାସ ୪ ହଜାର ୭୦୦ ମିଟର ଉଚ୍ଚରେ କରାଯାଇଥିଲା। ଗ୍ଲୋବାଲ ଟାଇମ୍ସ ଏହି ଅଭ୍ୟାସର ଏକ ଭିଡିଓ ମଧ୍ୟ ଜାରି କରିଛି। ଚୀନ ସେନା ଅନ୍ଧାରରେ ହମଲା କରିଥିବା ଏବଂ ଡ୍ରୋନ ବିମାନ ସାହାଯ୍ୟରେ ହମଲା କରିଥିବା ଭିଡିଓରେ ଦେଖିବାକୁ ମିଳିଛି | ଏହି ଭିଡିଓରେ ଚୀନ ସେନା ଏକ ପାହାଡିଆ ଅଞ୍ଚଳକୁ ଧ୍ବଂସ କରୁଥିବା ନଜର ଆସିଛି। ଶୁକ୍ରବାର ଦିନ ଏସିଆ ସୋସାଇଟିର ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ୧୯୯୩ ମସିହା ପରଠାରୁ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ହୋଇଛି ଯାହା ଶାନ୍ତି ଏବଂ ସ୍ଥିରତା ପାଇଁ ଢାଞ୍ଚା ପ୍ରସ୍ତୁତ କରିଛି। ଏହି ଚୁକ୍ତିନାମାରେ ସୀମା ପରିଚାଳନା ଠାରୁ ଆରମ୍ଭ କରି ସୈନିକଙ୍କ ଆଚରଣ ପର୍ଯ୍ୟନ୍ତ ସବୁକିଛି ସାମିଲ କରାଯାଇଥିଲା, କିନ୍ତୁ ଚଳିତ ବର୍ଷ ଯାହା ଘଟିଛି ତାହା ସମସ୍ତ ଚୁକ୍ତିନାମାକୁ ମୂଲ୍ୟହୀନ ପ୍ରମାଣିତ କରିଛି।