ଲଣ୍ଡନରୁ ଚାକିରୀ ଛାଡ଼ି ଅର୍ଗାନିକ୍ ଫାର୍ମିଂ
ନୁଆଦିଲ୍ଲୀ: ଅନେକ ଚାଷୀ ଏବେ ନିଜର କୌଳିକ ବୃତ୍ତି ଛାଡ଼ି ଭଲ ରୋଜଗାର ଆଶାରେ ସହରମୁହାଁ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ବିଦେଶରୁ ବଡ଼ ଚାକିରୀ ଛାଡ଼ି ନିଜ ମାଟିରେ ଚାଷ କରିବାର ନିଶା ହୁଏତ କମ୍ ଲୋକଙ୍କ ପାଖରେ ଥିବ। କିନ୍ତୁ ଏହି ପରମ୍ପରା ଏବେ ଭାରତରେ ଆରମ୍ଭ ହୋଇଗଲାଣି। ବିଭିନ୍ନ ସମୟରେ ଚାକିରୀ କରିଥିବା ଲୋକ ଚାଷ ପ୍ରତି ମନ ବଳାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଥରେ ଭାବିଲେ ଲଣ୍ଡନ ଭଳି ସହରରେ ଅଧିକ ବେତନ ବିଶିଷ୍ଟ ଚାକିରୀ ଛାଡ଼ି ଜଣେ ଯୁବତୀ ନିଜ ସହରକୁ ଫେରି ଚାଷ କରିବା ଓ ସେଥିରେ ବିପୁଳ ଲାଭ ପାଇବା, କେତେ ଗର୍ବର କଥା। ଏମିତି ଜଣେ ଦୃଢ଼ମନା ଯୁବତୀ ହେଉଛନ୍ତି ଆଗ୍ରାର ନେହା ଭାଟିୟା।୨୦୧୪ରେ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ମାଷ୍ଟର୍ସ ପାସ୍ କରିବା ସହ ଭଲ ଚାକିରୀଟିଏ କରିଥିଲେ। ବର୍ଷେ ଚାକିରୀ କରିବା ପରେ ୨୦୧୭ରେ ନିଜ ସହରକୁ ଫେରି ଅର୍ଗାନିକ୍ ଫାର୍ମିଂ ଆରମ୍ଭ କରିଥିଲେ। ଏବେ ୩ଟି ସ୍ଥାନରେ ଚାଷ କରି ବର୍ଷକୁ ୬୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନେହା। ୩୧ ବର୍ଷୀୟ ନେହା କୁହନ୍ତି ଯେ, ସେ ବ୍ୟବସାୟ କରିବେ ବୋଲି ଭାବିଥିଲେ। କିନ୍ତୁ କେବଳ ଟଙ୍କା ରୋଜଗାର ପାଇଁ ନୁହେଁ ବରଂ ସାମାଜିକ ବିକାଶ ପାଇଁ ତାହା ସହାୟକ ହେଉଥିବା ଆବଶ୍ୟକ। କିନ୍ତୁ ସେତେବେଳେ ସେ ଚାଷ କଥା ଭାବିନଥିବା କହିଛନ୍ତି।

ଦିଲ୍ଳୀ ବିଶ୍ବବିଦ୍ୟାଳୟରେ ଗ୍ରାଜୁଏସନ୍ କରୁଥିବା ବେଳେ ନେହା ଏକ ସାମାଜିକ ସଂଗଠନରେ ସାମିଲ ହୋଇଥିଲେ। ବିଭିନ୍ନ ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ପରେ ୨୦୧୨ରେ ଲଣ୍ଡନ ଯାଇଥିଲେ। ସେଠାରୁ ଫେରିବା ପରେ ପୁଣି ଏକ ସାମଜିକ ସଂଗଠନରେ ସାମିଲ ହୋଇଥିଲେ ନେହା। ପରେ ଅନେକ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ। ସେଠାରୁ ଜାଣିବାକୁ ପାଇଲେ ସୁଶମ ଖାଦ୍ୟ ମୁଖ୍ୟ ପ୍ରସଙ୍ଗ। ପରେ ୨୦୧୬ରେ ସେ କ୍ଳିନ୍ ଇଟିଂ ମୁଭ୍ମେଣ୍ଟ ଆରମ୍ଭ କରିବାକୁ ସ୍ଥିର କଲେ। ଫଳରେ ଲୋକଙ୍କୁ ଶୁଦ୍ଧ ଖାଦ୍ୟ ମିଳିପାରିବ। ତାପରେ ସେ ବହୁ ବିଶେଷଜ୍ଞଙ୍କୁ ଭେଟିଥିଲେ। ଭଲ ଖାଦ୍ୟ ପାଇଁ ଭଲ ଚାଷ ଦରକାର। ଚାଷରେ ୟୁରିଆ ଓ ଅନ୍ୟ କୀଟନାଶକ ମିଶିଲେ ଖାଦ୍ୟର ମାନ କମିବ ବୋଲି ସେ ଜାଣିବାକୁ ପାଇଥିଲେ।

ତେଣୁ ନେହା ଅର୍ଗାନିକ୍ ଫାର୍ମିଂ କଥା ଚିନ୍ତା କଲେ। କିନ୍ତ ଚାଷ ଉପରେ କିଛି ଜ୍ଞାନ ନଥିଲା ତାଙ୍କର। ସେ ୬-୭ ମାସ ଏକ ଗାଁରେ ଚାଷ କାର୍ଯ୍ୟ ସମ୍ପର୍କରେ ଜାଣିଲେ। ପରେ ନୋଏଡାରେ ତାଙ୍କ ପରିବାରର ଥିବା ଦୁଇ ଏକ ଜମିରେ ପରିବା ଚାଷ ଆରମ୍ଭ କରିଥିଲେ। ପ୍ରଥମରୁ ତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। କିନ୍ତୁ ପରେ ସେ ନିଜେ ବଜାରରେ ଏହାର ଉପକାରୀତା ବୁଝାଇଥିଲେ । ଧିରେଧରେ ରେସପନ୍ସ ବଢ଼ିଥିଲା। ଏହାପରେ ତାଙ୍କର ଏହି ଚାଷ ନୋଏଡା ବ୍ୟତୀତ ମୁଜାଫର ନଗର ଓ ଭୀମତାଲରେ ଆରମ୍ଭ ହୋଇଥିଲା। ଏବେ ମୋଟ ୧୫ ଏକର ଜମିରେ ପରିବା ଚାଷ ହେଉଥିବା ବେଳେ ୨୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅନେକ ଚାଷୀ ତାଙ୍କ ପାଖରୁ ଅର୍ଗାନିକ୍ ଫାର୍ମିଂ ସମ୍ପର୍କରେ ଟ୍ରେନିଂ ନେଉଥିବା କହିଛନ୍ତି ନେହା ଭାଟିୟା।