ମାଲକାନଗିରି,(ଏସ୍ଏନ୍ୟୁଜ): ମାଲକାନଗିରି ଛତିଶଗଡ ସୀମାନ୍ତରେ ଏଣିକି ନକ୍ସଲଙ୍କ ସହ ଲଢିବେ ମହିଳା କମାଣ୍ଡୋ । ଛତିଶଗଡ ପୋଲିସର ଡିଆରଜି ବାହିନୀରୁ ତାଲିମ ନେଇଥିବା ମହିଳା କମାଣ୍ଡୋମାନଙ୍କୁ ନେଇ ଗଠନ ହୋଇଛି ଦନ୍ତେଶ୍ବରୀ ବାହିନୀ । ସୁକୁମା, ଦନ୍ତେୱାଡା ଓ ବିଜାପୁର ଜିଲ୍ଲାର ନକ୍ସଲ ଅପରେସନରେ ଏହି ମହିଳା କମାଣ୍ଡୋଙ୍କୁ ସାମିଲ କରାଯାଇଛି ।
ମହିଳା କମାଣ୍ଡୋମାନେ ଅପରେସନକୁ ଯାଇଥିବା ବେଳେ ଫେଲ ମାରିଛି ମାଓବାଦୀଙ୍କ ଆକ୍ରମଣ ଯୋଜନା । ଦନ୍ତେୱାଡା ଜିଲ୍ଲା ଟେଟମ ଗାଁକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଜବାନଙ୍କୁ ଟାର୍ଗେଟ କରି ଲଗାଇଥିବା ୧୦ କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନକୁ ଠାବ କରିଛନ୍ତି ଏହି ମହିଳା କମାଣ୍ଡୋ ବାହିନୀ ।
ଅନ୍ୟ ପୁରୁଷ ଜବାନଙ୍କ ପରି ଏହି ମହିଳା କମାଣ୍ଡୋ ମାନେ କୁମ୍ବିଂ ଅପରେସନ ସାରି ଫେରୁଥିବା ସମୟରେ ଗ୍ରାମବାସୀଙ୍କଠାରୁ ସୂଚନା ପାଇ ଏହି ଲ୍ୟାଣ୍ଡମାଇନଟିକୁ ଠାବ କରିଥିଲେ । ପରେ ଏହାକୁ ଉଦ୍ଧାର କରି ନିଷ୍କ୍ରିୟ ମଧ୍ୟ କରିଛନ୍ତି ମହିଳା କମାଣ୍ଡୋମାନେ । ଫଳରେ ନକ୍ସଲଙ୍କ ଏକ ବଡ ଧରଣର ହିଂସାକାଣ୍ଡରୁ ବର୍ତ୍ତି ଯାଇଛନ୍ତି ଜବାନମାନେ ।