ବ୍ୟବସାୟୀଙ୍କ ଠାରୁ ଲୁଟିଲେ ୧୧ ଲକ୍ଷ: କାର୍‌ରେ ବନ୍ଦ କରି ଜିଅନ୍ତା ଜାଳି ଦେଇ ଫେରାର ହୋଇଗଲେ

ହିସାର : ହରିୟାଣା ହିସାରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଭାଟଲା-ଡାଟା ମାର୍ଗରେ ମଙ୍ଗଳବାର ରାତିରେ ଲୁଟେରାମାନେ ଏକ ଅମାନୁଷିକ କାଣ୍ଡ ଘଟାଇଛନ୍ତି। ଲୁଟେରାମାନେ କାରରେ ଥିବା ବ୍ୟବସାୟୀଙ୍କୁ ଲୁଟି କାରରେ ନିଆଁ ଲଗାଇଦେଇଛନ୍ତି। କାରରେ ନିଆଁ ଲଗାଇ ଦୁର୍ବୁତ୍ତମାନେ କାରକୁ ସବୁଆଡୁ ବନ୍ଦ କରିଦେଇଥିଲେ। ଫଳରେ କାରରେ ହିଁ ଜଳି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି।

ଯେତେବେଳେ ଲୁଟେରାମାନେ କାରରେ ନିଆଁ ଲଗାଉଥିଲେ ସେତେବେଳେ ବ୍ୟବସାୟୀ ନିଜ ପରିବାରକୁ ଫୋନ କରି ଜୀବନ ବଞ୍ଚାଇବାକୁ ଗୁହାରି କରିଥିଲେ। କିନ୍ତୁ ପରିଜନ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅପରାଧୀ କାରରେ ନିଆଁ ଲଗାଇ ୧୧ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।

ଘଟଣାରେ ଡାଟା ଗାଁ ବାସିନ୍ଦା ବ୍ୟବସାୟୀ ରାମ ମେହରଙ୍କ ମୃତ୍ୟୁ ହୋଇଛି। ସଦର ଥାନା ପ୍ରଭାରୀ କାଶ୍ମିରୀ ଲାଲ କହିଛନ୍ତି ଯେ ରାତି ୧୨ଟା ରେ ପୋଲିସକୁ ସୂଚନା ମିଳିଥିଲା ଯେ ଜଣେ ବ୍ୟକ୍ତିଙ୍କୁ ବରଵାଲା ରୋଡ଼ରେ ମହଜତ ଗାଁ ନିକଟରେ କାର ଭିତରେ ନିଆଁ ଲଗାଇ ଦିଆଯାଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ପୋଲିସ ପହଞ୍ଚିଲାବେଳକୁ କାର ସମ୍ପୂର୍ଣ୍ଣ ଜଳି ସାରିଥିଲା ଓ ବ୍ୟବସାୟୀଙ୍କ ମୃତ୍ୟୁ ହୋଇ ସାରିଥିଲା।

ପୋଲିସ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ପରିବାର ଲୋକ କହିଛନ୍ତି ଯେ ରାମ ମେହର ହିସାରରୁ ନିଜ ଗାଁକୁ ଆସୁଥିଲେ। ବରଵାଲାରେ ଟଙ୍କାର ଡିସପୋଜାଲ କପ ଓ ପ୍ଲେଟ କାରଖାନା ଅଛି। ମଙ୍ଗଳବାର ରାତିରେ ବ୍ୟାଙ୍କରୁ ୧୧ ଲକ୍ଷ ଟଙ୍କା କାଢିଥିଲେ। ରାତି ପାଖାପାଖି ୧୨ଟା ସମୟରେ ବାଇକରେ ଦୁଇ ଦୁର୍ବୁର୍ତ୍ତ ଆସି ମହଜତ ଗାଁ ନିକଟରେ ତାଙ୍କୁ ଘେରିଥିଲେ ଓ ଏହିସବୁ କାଣ୍ଡ ଘଟାଇଥିଲେ। ପୋଲିସ ଅଜଣା ଦୁର୍ବୁତ୍ତ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ସେହି ରାସ୍ତାରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଖୋଜୁଛି।

Leave A Reply

Your email address will not be published.