ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅଧୀନସ୍ଥ ଟିଟାଗଡ଼ ନିକଟରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣାକ୍ରମରେ ବିଜେପି ନେତା ମନୀଶ ଶୁକ୍ଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳି ମାଡ଼ ପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଟି ରୋଡ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁର୍ବୃତ୍ତମାନେ ମାସ୍କ ଏବଂ ହେଲ୍‌ମେଟ୍‌ ପିନ୍ଧି ମୋଟରସାଇକେଲ୍‌ରେ ଆସିଥିଲେ। ସେମ‌ାନେ ଶୁକ୍ଳାଙ୍କ ଉପରକୁ ଆଖି ବୁଜା ଗୁଳି ଚାଳନା କରିଥିଲେ। ଏହି ସମୟରେ ୨ ଜଣ ବିଜେପି କର୍ମୀ ଶୁକ୍ଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବାବେଳେ ସେମାନେ ମଧ୍ୟ ଗୁଳିମାଡ଼ର ଶିକାର ହୋଇ ଆହତ ହୋଇଛନ୍ତି। ଉକ୍ତ ଘଟଣାରେ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ଼। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଥିବା ନେଇ ରାଜ୍ୟପାଳ ଅତିରିକ୍ତ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ସମନ୍‌ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବା ପାଇଁ ଚାହିଥିଲେ। କିନ୍ତୁ କେହି ଆସିଲେନି। ଅବଶ୍ୟ ପରେ ମୁଖ୍ୟ ସଚିବ ଅଳପନ ବାନାର୍ଜୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ତେବେ ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟ ଉକ୍ତ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ବିଜେପି ପକ୍ଷରୁ ବାରାକ‌େପାର ଅଞ୍ଚଳରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି।

Leave A Reply

Your email address will not be published.