ପୂଞ୍ଚ: ଜମ୍ମୁ-କଶ୍ମୀରର ପୂଞ୍ଚ ଜିଲ୍ଲା ଅନ୍ତର୍ଗତ କୃଷ୍ଣ ଉପତ୍ୟକା ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରାଯାଇଛି। ଅସ୍ତ୍ରବିରତି ଉଲ୍ଲଂଘନ ପରେ ଲାନ୍ସ ନାୟକ କର୍ଣ୍ଣେଲ ସିଂ ନାମକ ଜଣେ ଯବାନ ସହିଦ ହୋଇଥିବା ଜଣା ପଡିଛି। ଜମ୍ମୁରେ ଅବସ୍ଥିତ ପ୍ରତିରକ୍ଷା ପିଆରଓ ଦ୍ୱାରା ଏହି ସୂଚନା ପ୍ରଦାନ କରାଯାଇଛି | ଗୋଟିଏ ପଟେ ଚୀନ୍ ସହ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ଏକସୀମା ବିବାଦ ଲାଗିରହିଥିବା ବେଳେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିବାରେ ଲାଗିଛି |

ସୂଚନା ମୁତାବକ, ବୁଧବାର ରାତି ୮:୩୦ରେ ପୂଞ୍ଚର କୃଷ୍ଣ ଉପତ୍ୟକାରେ ପାକିସ୍ତାନ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହା ପରେ ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ଉପଯୁକ୍ତ ଜବାବ ଦେଇଥିଲା। ଜବାବ ଦେବା ସମୟରେ ଯବାନଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି | ଆତଙ୍କବାଦୀମାନେ ପାକିସ୍ତାନରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରି କ୍ରମାଗତ ଭାବରେ ଅସ୍ତ୍ରବିରତି ଉଲ୍ଲଂଘନ ନିୟମ କରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସେନାର ଆହ୍ୱାନ ଦ୍ୱିଗୁଣିତ ହୋଇଛି। ଭାରତ ବର୍ତ୍ତମାନ ଚୀନ ଓ ପାକିସ୍ଥାନ ସହ ସୀମାରେ ଲଢେଇ କରୁଛି | ଗୋଟେ ପଟେ ଚୀନ ସୈନ୍ୟ ପ୍ରତ୍ୟାହାର କରୁନଥିବା ବେଳେ ଅନ୍ୟପଟେ ପାକିସ୍ତାନ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିବାରେ ଲାଗିଛି |