ବିଘ୍ନ ବିନାଶନ

ଭାରତୀୟ ସଂସ୍କୃତିରେ ଶ୍ରୀଗଣେଶଙ୍କୁ ସିଦ୍ଧିଲାଭ ଓ ସଙ୍କଟମୋଚନ ନିମନ୍ତେ ଅଗ୍ରପୂଜ୍ୟ ଗଣଦେବତା ଭାବେ କେଉଁ ବୈଦିକ ଯୁଗରୁ ପୂଜା କରାହୋଇଆସୁଛି । ପ୍ରତ୍ୟେକ ମଙ୍ଗଳ କାର୍ଯ୍ୟରେ ସକଳ ବିଘ୍ନ ବିନାଶନ ପାଇଁ ସର୍ବ ପ୍ରଥମେ ଗଣେଶଙ୍କୁ ଆରାଧନା କରାଯାଇଥାଏ । ଶିବ, ପାର୍ବତୀଙ୍କର ପୁତ୍ର ବୋଲି ସେ ସର୍ବତ୍ର ପରିଚିତ । ପ୍ରାଚୀନ ଶାସ୍ତ୍ରମାନଙ୍କରେ ଗଣେଶଙ୍କର ଆଠଗୋଟି ନାମର ଉଲ୍ଲେଖ ଅଛି । ସେଗୁଡ଼ିକ ହେଲା – ଗଣେଶ, ଏକଦନ୍ତ, ହେରମ୍ବ, ବିନାୟକ, ଲମ୍ବୋଦର, ସୂପକର୍ଣ୍ଣ, ଗଜବକ୍ର ଓ ଗୁହଗ୍ରଜ । ତାଙ୍କର ଜନ୍ମତିଥି ଭାଦ୍ରବ ମାସ ଶୁକ୍ଳପକ୍ଷର ଚତୁର୍ଥୀ ଅଟେ । ଏହି ଦିନଟିକୁ ବିନାୟକ ଚତୁର୍ଥୀ ମଧ୍ୟ କୁହାଯାଏ । ଗଣେଶ ଶବ୍ଦଟି ‘ଗଣ+ଈଶ’ ଶବ୍ଦରୁ ସୃଷ୍ଟି । ଗଣ କହିଲେ ଲୋକମାନଙ୍କୁ ବୁଝାଏ ଓ ଈଶ କହିଲେ ଈଶ୍ୱରଙ୍କୁ ବୁଝାଏ । ସେହିପରି ଗଣପତି ଶବ୍ଦଟିର ଅର୍ଥ ସମସ୍ତ ଜୀବଗଣଙ୍କର ପତି । କିନ୍ତୁ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଗଣ ହେଉଛନ୍ତି ଶରୀର ଭିତରେ ଥିବା ସମସ୍ତ ଇନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ ଓ ପଞ୍ଚ ଜ୍ଞାନେନ୍ଦ୍ରିୟ । ଏମାନଙ୍କର ଅଧିପତି ମନ । ମନକୁ ନିୟନ୍ତ୍ରଣ କରେ ବୁଦ୍ଧି । ଏ ସମସ୍ତଙ୍କର ଯେ ପତି ଅର୍ଥାତ୍ ନିୟନ୍ତ୍ରକ, ସେ ହେଲେ ଗଣପତି । ବୈଦିକ ଆଚାର୍ଯ୍ୟମାନେ ବ୍ୟକ୍ତିଗତ ମଙ୍ଗଳ ଅପେକ୍ଷା ସମୂହ କଲ୍ୟାଣ ଓ ସଂଘ ଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ଏହି ମୂଳତତ୍ୱକୁ ଆଧାର କରି ବିଦ୍ୟା, ବୁଦ୍ଧି, ଜ୍ଞାନ ଓ ସମୃଦ୍ଧିର ଦେବତା ରୂପେ ଗଣେଶକୁ ଆବାହନ କରାଯାଉଥିଲା ।
ଗଣେଶ ହେଉଛନ୍ତି ଶରୀର ଭିତରେ ବିଦ୍ୟମାନ ସେହି ଚୈତନ୍ୟ ସତା, ଯାହାର ଉପସ୍ଥିତିରେ ଶରୀର ହୁଏ କାର୍ଯ୍ୟରତ । ଗଣେଶକୁ ଉପାସନା କରିବା ଅର୍ଥ ଦୃଷ୍ଟିକୁ ଅନ୍ତର୍ମୁଖୀ କରି ସେହି ଦିବ୍ୟ ଚେତନ ସତାକୁ ଅନୁଭବ କରିବା । ଶ୍ରୀ ଗଣେଶ ପ୍ରଣବର (ଓଁକାର) ସ୍ୱରୂପ ହୋଇଥିବାରୁ ଏବଂ ପ୍ରଣବ ସକଳ ସୃଷ୍ଟିର ମୂଳାଧାର ସ୍ୱରୂପ ହୋଇଥିବାରୁ ସେ ସମସ୍ତଙ୍କ ମଧ୍ୟରେ ଅଗ୍ରବନ୍ଦ୍ୟ ଦେବତା ରୂପେ ଗୃହୀତ ହୋଇଛନ୍ତି । ଗଣେଶଙ୍କ ପିତୃମାତୃଭକ୍ତି ଥିଲା ଅଦ୍ୱିତୀୟ । ଏ ବିଷୟରେ ଏକ କିମ୍ବଦନ୍ତୀ ଅଛି । ଥରେ ମା\’ ପାର୍ବତୀଙ୍କର ଏକ ମୁକ୍ତାହାର ନେବାକୁ ଗଣେଶ ଓ ତାଙ୍କ ବଡ଼ଭାଇ କାର୍ତିକ ଜିଦିକଲେ । ଗୋଟିଏ ହାରକୁ ମା\’ କାହାକୁ ଦେବେ ସ୍ଥିର କରି ନପାରି ଏକ ପ୍ରସ୍ତାବ ରଖିଲେ – ଯିଏ ପୃଥିବୀ ପରିଭ୍ରମଣ କରି ପ୍ରଥମେ ଆସି ତାଙ୍କ ପାଖରେ ପହଁଚବ, ହାରଟି ସିଏ ନେବ । ଏହା ଶୁଣି କାର୍ତିକ ତାଙ୍କ ମୟୂରବାହନରେ ପରିଭ୍ରମଣରେ ବାହାରିଗଲେ । ଗଣେଶ କିନ୍ତୁ ମା\’ ବାପାଙ୍କ ଚାରିପଟେ ତିନିଘେରା ବୁଲିଆସି ହାତଯୋଡ଼ି ବସିପଡ଼ିଲେ । ମା\’ ପଚାରିଲେ ତୁ କ\’ଣ ପରିଭ୍ରମଣରେ ଯିବୁନି କି ? ଗଣେଶ କହିଲେ, ମାତା ପିତା ମୋ ପାଇଁ ବିଶ୍ୱ ବ୍ରହ୍ମାଣ୍ଡଠାରୁ ବଡ଼ । ତେଣୁ ମୋର ପୃଥିବୀ ଭ୍ରମଣରେ ଯିବା କି ଦରକାର? ମୁଁ ତ ଆପଣଙ୍କ ଚାରିପଟେ ତିନିଘେରା ବୁଲି ସାରିଲିଣି । ମାତା ଏହାଶୁଣି ଖୁସିହୋଇ ହାରଟି ତାଙ୍କରି ହାତକୁ ବଢ଼ାଇଦେଲେ । ଗଣେଶ କେବଳ ପିତୃମାତୃଭକ୍ତ ନୁହଁନ୍ତି, ବୁଦ୍ଧିରେ ବି ସବୁଠୁ ଶୀର୍ଷରେ । ଦେବତାମାନଙ୍କ ସେନାପତି ତାଙ୍କ ଅଗ୍ରଜ ତାଙ୍କ ପାଖରେ ସେଦିନ ହାର ମାନିଥିଲେ ।
ଆଜି ସାରା ଭାରତବର୍ଷରେ ପାଳନ କରାଯାଉଛି ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା । କେବଳ ଫୁଲ, ଚନ୍ଦନ, ଧୂପ, ଦୀପ ଦେଇ ନଡ଼ିଆ ଭାଙ୍ଗିବାରେ ଶେଷ ହୋଇନଥାଏ ପୂଜା । ଆମେ ଯେଉଁ ଗଣେଶଙ୍କୁ ପୂଜା କରୁଛେ, ତାଙ୍କର ସୁଗୁଣାବଳୀକୁ ନିଜ ଚରିତ୍ରରେ ଫୁଟାଇ ପାରିଲେ ଏ ପୂଜା ସାର୍ଥକ ହେବ । ଅଜ୍ଞାନ ଅନ୍ଧାର ଦୂର ହୋଇ ସୁଖ, ଶାନ୍ତି, ଆନନ୍ଦ ବିରାଜମାନ କରିବ ଏ ଜଗତରେ । ଆସନ୍ତୁ! ସମସ୍ତେ ମିଶି କାୟମନୋବାକ୍ୟରେ ବିଘ୍ନ ବିନାଶକ ଗଣେଶଙ୍କୁ ପୂଜା କରିବା ।

ଏସ୍ ନ୍ୟୁଜ ପକ୍ଷରୁ ଗଣେଶ ଚତୁର୍ଥିରେ ଗଜାନନଙ୍କ ଚରଣରେ ଭକ୍ତପୂର୍ଣ୍ଣ ପ୍ରଣାମ ।

Leave A Reply

Your email address will not be published.