ଫେଲ୍ ଧମକ ଦେଇ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ବାରମ୍ବାର ଦୁଷ୍କର୍ମ କରୁଥିଲେ ଶିକ୍ଷକ, ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ସତ

ଯୋଧପୁର: ଯୋଧପୁର ଜିଲ୍ଲାରେ ସାମ୍ନାକୁ ଆସିଛି ଦୁଇ ଶିକ୍ଷକଙ୍କ କାରନାମା । ଶେରଗଡର ବାଲେସର ଥାନା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ସ୍କୁଲରେ ହିଁ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିଥିବା ନେଇ ଅଭିଯୋଗ ଆସିଛି । ପାଟି ଖୋଲିଲେ ଫେଲ୍ କରିଦେବାକୁ ପୀଡିତାଙ୍କୁ ଧମକ ଦେଇଥିଲେ ଅଭିଯୁକ୍ତ ଶିକ୍ଷକ । ଭୟଭୀତ ହୋଇ ଛାତ୍ରୀ ଏହି ବିଷୟରେ କାହାକୁ କିଛି କହି ନଥିଲେ । ଅଭିଯୁକ୍ତ ଶିକ୍ଷକଙ୍କ ଅନ୍ୟ ଜଣେ ସହକର୍ମୀ ତାଙ୍କୁ ଏହି କାମରେ ସାହାଯ୍ୟ କରୁଥିଲେ ।

ଝିଅଟିର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ପରିବାରଲୋକ ତାଙ୍କୁ ଡାକ୍ତରଖାନାକୁ ଦେଖାଇବାକୁ ନେଇଥିଲେ । ଯେତେବେଳେ ଡାକ୍ତର ଝିଅ ଗର୍ଭବତୀ ଥିବା ବିଷୟରେ ସୂଚନା ଦେଇଥିଲେ ସେତେବେଳେ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ପୀଡିତା କାନ୍ଦି କାନ୍ଦି ଶିକ୍ଷକଙ୍କ ବିଷୟରେ କହିଥିଲେ । ଘଟଣା ସାମ୍ନାକୁ ଆସିବା ପରେ ଉଭୟ ଅଭିଯୁକ୍ତ ଶିକ୍ଷକ ଫେରାର ହୋଇଯାଇଛନ୍ତି । ପୋକ୍ସୋ ଅଧିନିୟମ ଅନୁଯାୟୀ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ପୋଲିସର ସୂଚନା ଅନୁସାରେ, ଏହି ଘଟଣା ବାଲେସର ଥାନା ଅଞ୍ଚଳରେ ଥିବା ଶେଖାଲା ଗାଁରେ ଘଟିଛି । ଏଠାରେ ଥିବା ଏକ ସରକାରୀ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ସହ ସେହି ସ୍କୁଲର ଶିକ୍ଷକ ମାର୍ଚ୍ଚ ମାସରେ ୩-୪ ଥର ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତ ଶିକ୍ଷକଙ୍କୁ ଏହି ଜଘନ୍ୟ ଅପରାଧରେ ତାଙ୍କ ସହକର୍ମୀ ସହୟୋଗ କରିଥିଲେ । ଘଟଣା ସଂପର୍କରେ ଜଣାପଡିବା ପରେ ପୀଡିତାଙ୍କ ବାପା ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ବାଲେସର ଥାନାରେ ମାମଲା ରୁଜୁ କରିଛନ୍ତି ।

Leave A Reply

Your email address will not be published.