ଦୀନବନ୍ଧୁଙ୍କ ଆତ୍ମାହୁତି ମାମଲାରେ ରାଜ୍ୟପାଳଙ୍କ ଅସନ୍ତୋଷ, କୁଳପତିଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ମାମଲା । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତୀବ୍ର ଅସନ୍ତାଷ ପ୍ରକାଶ କରିବା ସହ କୁଳପତିଙ୍କୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆତ୍ମାହୁତି ପୁର୍ବରୁ ଦୀନବନ୍ଧୁ ମିଶ୍ର ସୁଇସାଇଡ ନୋଟରେ କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁ ସହ ଅନ୍ୟ ଦୁଇଜଣ ଅଧିକାରୀଙ୍କ ନାମ ଉଲ୍ଲେଖ କରିଥିଲେ ।

ଏତେବଡ଼ ଘଟଣା ଘଟିବା ପରେ ମଧ୍ୟ କୁଳପତି ପ୍ରଫେସର ମିତ୍ତଲ ସିଣ୍ଡିକେଟ ବୈଠକରେ ଅଧ୍ୟକ୍ଷତା କରିବା ଘଟଣାକୁ କୁଳାଧିପତି ନାପସନ୍ଦ କରିଛନ୍ତି । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଦୀନବନ୍ଧୁ ମିଶ୍ର ୨୭ବର୍ଷ ଚାକିରି କରିବା ସତ୍ତ୍ୱେ କାହିଁକି ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନଥିଲା, କୁଳପତିଙ୍କ ଚ୍ୟାମ୍ବର ସମ୍ମୁଖରେ ଦୀନବନ୍ଧୁ ଆତ୍ମାହୁତି ଦେଉଥିବା ବେଳେ ତାଙ୍କୁ କାହିଁକି ସେଥିରୁ ରୋକା ଯାଇନଥିଲା ? ସୁଇସାଇଡ ନୋଟରେ ଦୀନବନ୍ଧୁ ଯେଉଁ ଅଭିଯୋଗ କରିଛନ୍ତି ତାହା କେତେଦୂର ସତ୍ୟ, ଏଭଳି ବିଭିନ୍ନ ବିଷୟ ଉପରେ ସବିଶେଷ ରିପୋର୍ଟ ରାଜଭବନକୁ ପଠାଇବାକୁ କୁଳାଧିପତି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଭିସିଙ୍କ ଗିରଫଦାରି ଦାବିରେ କର୍ମଚାରୀଙ୍କ ଧାରଣା ଦ୍ବିତୀୟ ଦିନରେ ମଧ୍ୟ ଜାରି ରହିଛି ।

Leave A Reply

Your email address will not be published.