ଦୁଇ ଗିରଫ, ନଗଦ ୪୫ ହଜାର ୫ଶହ ଟଙ୍କା ଜବତ
କଟକ,(ଏସ୍ଏନ୍ୟୁଜ):
ଜଣେ ବୟସ୍କ ମହିଳାଙ୍କ ଟଙ୍କା ଭର୍ତିବ୍ୟାଗ ଝାମ୍ପି ନେବା ଘଟଣାରେ ଦୁଇ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଅଭିଯୁକ୍ତ ଦ୍ୱୟ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଂଚଳର ବାଳକୃଷ୍ଣ ପ୍ରଧାନ(୨୮) ଓ ଏ. ଅଜିତ(୨୧) । ଅଭିଯୁକ୍ତଙ୍କ ଠାରୁ ନଗଦ ୪୫ ହଜାର ୫ଶହ ଟଙ୍କା, ଗାଡି ଡିକି ଭାଙ୍ଗିବା ଯନ୍ତ୍ରପାତି, ବ୍ୟାଙ୍କ ପାସବୁକ, ୪ଟି ମୋବାଇଲ, ଗୋଟିଏ ଡ୍ରାଇଭିଂ ଲାଇସେନ୍ସ ଓ ଗୋଟିଏ(ଓଡି-୩୩-ଜେଡ-୧୬୫୩) ବାଇକ ଜବତ ହୋଇଛି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଫ୍ରେଣ୍ଡସ କଲୋନୀର ମଞ୍ଜୁ ଦେଇ ଲୁଟର ଶିକାର ହୋଇଥିଲେ । ସେ ଜଣେ ଅବସରପ୍ରାପ୍ତ ଏସସିବି ମେଡିକାଲରେ ୪ର୍ଥ ଶ୍ରେଣୀ କର୍ମଚାରୀ । ଅବସର ପରେ ମିଳିଥିବା ଅର୍ଥରାଶିକୁ ସେ ମେଡିକାଲ ସମ୍ମୁଖ ଏସବିଆଇ ବ୍ୟାଙ୍କରେ ଜମା ରଖିଥିଲେ । ତେବେ ଘଟଣା ଦିନ ପ୍ରାୟ ୧୧ଟା ବେଳେ ମହିଳା ଜଣକ ଟଙ୍କା ଉଠାଇବା ଲାଗି ଉକ୍ତ ବ୍ୟାଙ୍କକୁ ଯାଇଥିଲେ । ଆଉ ବ୍ୟାଙ୍କରୁ ପ୍ରାୟ ୫୦ ହଜାର ଟଙ୍କା ଉଠାଇ ତାହାକୁ ଏକ ପଲିଥିନ ବ୍ୟାଗରେ ଗୁଡାଇ ଘରକୁ ଚାଲିଚାଲି ଫେରୁଥିଲେ । ତେବେ ଫେରୁଥିଲା ବେଳେ ସେ ବ୍ୟାଙ୍କ ଠାରୁ ଅଳ୍ପ ବାଟ ଦୂରରେ କଦଳୀ କିଣିବା ଲାଗି ଅଟକିଥିଲେ । ଏତିକି ବେଳେ ହଠାତ ଦୁଇ ଜଣ ଦୁର୍ବୃତଏକ ବାଇକରେ ଆସି ତାଙ୍କ ହାତରୁ ଟଙ୍କା ଭର୍ତି ପଲିଥିନ ବ୍ୟାଗକୁ ଝାମ୍ପି ଚମ୍ପଟ ମାରିଥିଲେ । ମହିଳା ଜଣକ ଚିତ୍କାର କରିଥିଲେ ମଧ୍ୟ ଦୁର୍ବୃିତ ଦ୍ୱୟ ଦ୍ରୁତ ଗତିରେ ଯୋବ୍ରା ଅଭିମୁଖେ ଫେରାର ହୋଇଯାଇଥିଲେ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଟଙ୍କା ସହିତ ଉକ୍ତ ପଲିଥିନ ବ୍ୟାଗରେ ମଞ୍ଜୁ ଦେଇଙ୍କ ବ୍ୟାଙ୍କ ପାସବୁକ ମଧ୍ୟ ଥିଲା । ତେଣୁ ଘଟଣା ସଂକ୍ରାନ୍ତରେ ମହିଳା ଜଣକ ତୁରନ୍ତ ମଙ୍ଗଳାବାଗ ଥାନାରେ ଜଣାଇଥିଲେ । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲା ହେଲେ ଦୁର୍ବୃତଙ୍କ ଟେର ପାଇନଥିଲା । ମହିଳାଙ୍କ ଏତଲାକ୍ରମେ ପୋଲିସ କେସ ନଂ ୧୮୪/୨୦, ଆଇପିସିର ୩୯୨, ୩୪ ଦଫାରେ ଏକ ମାମଲା ରୁଜୁ କରିଥିଲା । ଜଣେ ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସର୍ବସ୍ୱ ଜମାପୁଞ୍ଜି ଲୁଟ ହୋଇଯିବା ଘଟଣାକୁ ପୋଲିସ ଗୁରୁତ୍ୱ ସହ ନେଇଥିଲା । ପ୍ରାଥମିକ ଭାବେ ପୋଲିସ ଘଟଣାସ୍ଥଳର ଆଖପାଖରେ ଥିବା କିଛି ସିସିଟିଭି ଫୁଟେଜ ସଂଗ୍ରହ କରି ଛାନଭିନ କରିଥିଲା । ହେଲେ ସେଥିରୁ ପୋଲିସ ହାତରେ କୌଣସି ସୂରାକ ଲାଗିନଥିଲା । ପରବର୍ତି ସମୟରେ ପୋଲିସ ସହରରେ ସକ୍ରିୟ ହେଉଥିବା ଏକ ଏରାଗୁଲା ଗ୍ୟାଙ୍ଗ ବିଷୟରେ ସୂଚନା ପାଇଥିଲା । ଏହି ବିଷୟ ଜାଣିବା ପରେ ମଙ୍ଗଳାବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍ ଟିମ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲେ । ବହୁ ଛାନଭିନ କରିବା ପରେ ପୋଲିସ ଉକ୍ତ ଗ୍ୟାଙ୍ଗର ଦୁଇ ଲୁଟେରାଙ୍କୁ ଚିହ୍ନଟ କାବୁ କରିବାରେ ସଫଳ ହୋଇଥିଲା । ଏହି ଏରାଗୁଲା ଗ୍ୟାଙ୍ଗର ଲୁଟେରାମାନେ ଏକାକୀ ଯାଉଥିବା ବୟସ୍କ ମହିଳା, ଯୁବତୀଙ୍କୁ ଟାର୍ଗେଟ କରୁଥିଲେ । ଆଉ ସୁଯୋଗ ଦେଖି ଟଙ୍କା, ଅଳଙ୍କାର, ଗାଡି ଡିକି ଭାଙ୍ଗି ସର୍ବସ୍ୱ ଲୁଟି ନେଉଥିଲେ । ଘଟଣା ଦିନ ମଧ୍ୟ ଅଭିଯୁକ୍ତ ଅଜିଜ ଓ ବାଳକୃଷ୍ଣ ବ୍ୟାଙ୍କ ଯିବା ସମୟରେ ମଞ୍ଜୁ ଦେଇଙ୍କ ପିଛା କରିଥିଲେ । ଆଉ କଦଳୀ କିଣିଲା ବେଳେ ମଉକା ଦେଖି ଟଙ୍କା ଭର୍ତି ବ୍ୟାଗକୁ ଝାମ୍ପି ଫେରାର ହୋଇଯାଇଥିଲେ । ପୋଲିସ ଚଢଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ନଗଦ ୪୫ ହଜାର ୫ ଶହ ଟଙ୍କା ଜବତ କରିଛି । ଏଥିସହିତ ଡିକି ଭାଙ୍ଗିବା ଯନ୍ତ୍ରପାତି, ଲୁଟରେ ବ୍ୟବହୃତ ବାଇକ, ଡ୍ରାଇଭିଂ ଲାଇସେନ୍ସ ଓ ୪ଟି ମୋବାଇଲ ଜବତ କରିଛି । ଏବେ ବି ଗ୍ୟାଙ୍ଗର ଆଉ କିଛି ଲୁଟେରା ଫେରାର ଅଛନ୍ତି । ସେମାନଙ୍କୁ ଗିରଫ କରିବା ଲାଗି ପୋଲିସ ଜୋରଦାର ତଦନ୍ତ ଜାରି ରଖିଛି ।